ନ୍ୟୁଜିଲ୍ୟାଣ୍ଡକୁ ୨୩୫ରେ ଅଲଆଉଟ କଲେ ଜାଡେଜା ଓ ୱାଶିଂଟନ

ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟ ସିରିଜ ହାରି ସାରିଥିବା ଘରୋଇ ଟିମ ଭାରତ ଆଜି ଶେଷ ମ୍ୟାଚ୍ରେ ବୋଲିଂରେ ଯାଦୁ ଦେଖାଇଛି। ମୁମ୍ବାଇର ୱାଙ୍ଖେଡେରେ ଆରମ୍ଭ ହୋଇଥିବା ଶେଷରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୩୫ ରନ କରିଛି।
ଦଳ ପାଇଁ ୱିଲ ୟଙ୍ଗ ଓ ଡାରେଲ ମିଚେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ କ୍ୱିୱି ଟିମ ବଡ଼ ସ୍କୋର କରିବାରେ ବିଫଳ ହୋଇଛି।
ଭ୍ରମଣକାରୀ ଦଳକୁ ଟିମ ଇଣ୍ଡିଆର ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଘାଇଲା କରିଛନ୍ତି।
ଜାଡେଜା ଏକାକୀ ୫ ୱିକେଟ ନେଇଥିବା ବେଳେ ସୁନ୍ଦର ୪ଟି ସଫଳତା ପାଇଛନ୍ତି। ସେହିପରି ଗୋଟିଏ ୱକେଟ ଆକାଶ ଦୀପଙ୍କ ଖାତାକୁ ଯାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ଜାଜେଡାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ୬୫ ରନ ଦେଇ ୫ ୱିକେଟ ଦଖଲ କରିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଆକାଶ ଦୀପ ୧୫ ରନରେ ପ୍ରଥମ ଝଟକା ଦେଇଥିଲେ। ସେ ଡେଭନ କନୱେ(୪)ଙ୍କୁ ଆଉଟ କରିଥିଲେ। ଅଧିନାୟକ ଟମ ଲାଥମ ଭଲ ଲୟରେ ଥିଲେ ହେଁ ୨୮ ରନ କରି ୱାଶିଂଟନଙ୍କ ପ୍ରଥମ ଶିକାର ବନିଥିଲେ। ରଚିନ ରବୀନ୍ଦ୍ର ମାତ୍ର ୫ ରନ କରି ୱାଶିଂଟନଙ୍କ ଦ୍ୱିତୀୟ ଶିକାର ବନିଥିଲେ।
ଲଞ୍ଚ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇ ୯୨ ରନ କରିଥିଲା। ଲଞ୍ଚ ପରେ ୟଙ୍ଗ ଓ ମିଚେଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳ ସ୍କୋରୁ ୭୨ରୁ ନେଇ ୧୫୯ରେ ପହଞ୍ଚାଇ ଦେଇଥିଲେ। ୟଙ୍ଗଙ୍କ ବ୍ୟାଟରୁ ମଧ୍ୟ ଜବରଦସ୍ତ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। କିନ୍ତୁ ଦଳୀୟ ସ୍କୋର ୧୫୯ ଥିବା ବେଳେ ଜାଡେଜା ଏହି ଭାଗିଦାରୀକୁ ଭାଙ୍ଗି ଥିଲେ। ସେ ୭୧ ରନ କରିଥିବା ୟଙ୍ଗଙ୍କୁ ଆଉଟ କରି ଭାରତକୁ ୪ର୍ଥ ସଫଳତା ଦେଇଥିଲେ।
ସମାନ ଓଭରରେ ଟମ ବ୍ଲଣ୍ଡେଲ ଖାତା ଖୋଲିବା ପୂର୍ବରୁ ଜାଡେଜାଙ୍କ ଶିକାର ବନିଥିଲେ। ଟି ଟାଇମ ପୂର୍ବରୁ ମିଚେଲ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଅନ୍ୟପଟେ ଥିବା ଗ୍ଲେନ ଫିଲିପ୍ସ(୧୭)ଙ୍କୁ ଜାଡେଜା ବୋଲ୍ଡ କରି ଦେଇଥିଲେ। ଟି ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ ହରାଇ ୧୯୨ ରନ କରିଥିଲା।




