ଏନଆଇଏର ଚାର୍ଜସିଟ୍: ଦାଉଦର ରାସ୍ତାରେ ଲରେନ୍ସ ବିଷ୍ଣୋଇ, ୭୦୦ ସୁଟର୍, ୬ଟି ଦେଶରେ ସାମ୍ରାଜ୍ୟ

ନୂଆଦିଲ୍ଲୀ ୧୩/୧୦: NCP ନେତା ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ଏନେଇ ଲରେନ୍ସ ଗ୍ରୁପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜକୁ ଦାୟୀ କରିଛି । ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ସ୍ବୀକାର କରିଛି । ତେବେ ଲରେନ୍ସ ବିଷ୍ଣୋୟୀ ଗ୍ରୁପ ଗତ କିଛି ଦିନ ହେଲା ଭାରତରେ ସକ୍ରିୟ ହୋଇଛି ।
ଗ୍ୟାଙ୍ଗଷ୍ଟର ଗ୍ରୁପର ୩ଜଣ କୁଖ୍ୟାତ ଅପରାଧି ଅମେରିକାରୁ ବସି ଏହାକୁ ହ୍ୟାଣ୍ଡଲ କରୁଛନ୍ତି । ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଯେଉଁ ରାସ୍ତାରେ ଯାଉଥିଲା ସମାନ ରାସ୍ତାକୁ ଆପଣେଇଛି ଲରେନ୍ସ ବିଷ୍ଣୋୟୀ ।
ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଏବଂ ଗୋଲ୍ଡି ବରାଡ ଗ୍ୟାଙ୍ଗ ବିରୋଧରେ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଥିମଧ୍ୟରେ, ଏନଆଇଏ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଏବଂ ଗୋଲ୍ଡି ବରାଡ ଗ୍ରୁପର ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । NIA ଏଥିରେ ଅନେକ ବଡ଼ ଖୁଲାସା କରିଛି ।
ଏନଆଇଏ ଏହାର ଚାର୍ଜସିଟରେ ଦର୍ଶାଇଛି ଲରେନ୍ସ ବିଷ୍ଣୋୟୀ ଏବଂ ତାଙ୍କ ଆତଙ୍କବାଦୀ ସିଣ୍ଡିକେଟ୍ ଅଦ୍ଭୁତ ଭାବରେ ବିସ୍ତାର ହୋଇଛି। ଯେପରି ୯୦ ଦଶକରେ ଦାଉଦ୍ ଇବ୍ରାହିମ୍ ଛୋଟ ଛୋଟ ଅପରାଧ କରି ତାର ନେଟୱାର୍କ ପ୍ରତିଷ୍ଠା କରିଥିଲା। ଏଥିରେ ତସ୍କରୀ, ଟାର୍ଗେଟ୍ କିଲିଂ, ଦାଦାବଟି ଆଦାୟ ସାମିଲ୍ ରହିଥିଲା । ଏହି ଭଳି ଭାବେ ଡି-କମ୍ପାନିକୁ ଛିଡ଼ା କରିଥିଲା ଦାଉଦ ଇବ୍ରାହିମ । ସେହିପରି ଭାବେ ବିଷ୍ଣୋୟୀ ଗ୍ରୁପ୍ ଆରମ୍ଭରେ ଛୋଟ ଛୋଟ ଅପରାଧ କରୁଥିଲା । ପରେ ନିଜକୁ ଗ୍ୟାଙ୍ଗଷ୍ଟରର ପରଚୟ ଦେଇଥିଲା । ଏହି ଗ୍ୟାଙ୍ଗଷ୍ଟର ଗ୍ରୁପ ଏବେ ଉତ୍ତର ଭାରତକୁ କବଜା କରିଛି ।
ଏନଆଇଏ ନିଜ ଚାର୍ଜସିଟରେ ଉଲ୍ଲେଖ କରିଛି, ବିଷ୍ଣୋୟୀ ଗ୍ରୁପରେ ୧୦୦ କି ୨୦୦ ନୁହେଁ ବରଂ ୭୦୦ରୁ ଅଧିକ ସୁଟର ରହିଛନ୍ତି । ଏଥିରେ ୩୦୦ଜଣ ପଞ୍ଜାବରୁ ଆସୁଛନ୍ତି । ବିଷ୍ଣୋୟୀ ଗ୍ରୁପ ଭାରତ ୧୧ଟି ରାଜ୍ୟ ଏବଂ ୬ଟି ଦେଶରେ ନିଜର ଗ୍ୟାଙ୍ଗଷ୍ଟର ସାମ୍ରାଜ୍ୟ ବିସ୍ତାର କରିଛି । ନିଜ ଗ୍ୟାଙ୍ଗର ପ୍ରଚାର ପ୍ରସାର ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ରୁପ ସୋସିଆଲ୍ ମିଡିଆକୁ ଅସ୍ତ୍ର କରିଛି । ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବର ସାହାର ନେଇଛି ।