ଦେଶ- ବିଦେଶ

ଇସ୍ରାଏଲ ବେଶୀ ଦିନ ତିଷ୍ଠି ରହିବ ନାହିଁ- ଇରାନ

ତେହରାନ: ଇସ୍ରାଏଲ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରିଥିବା ଇରାନ ଆଗକୁ ଅଧିକ ଆକ୍ରମଣ କରିବାକୁ ଘୋଷଣା କରିଛି। ଏପରିକି ଇସ୍ରାଏଲକୁ ଆଉ ଅଧିକ ଦିନ ତିଷ୍ଠି ରହିବାକୁ ଦିଆଯିବ ନାହିଁ ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖାମେନେଇ ଚେତାବନୀ ଦେଇଛନ୍ତି। ଶୁକ୍ରବାର ତେହରାନର ଗ୍ରାଣ୍ଡ ମୋସାଲା ମସ୍‌ଜିଦରେ ଉଦ୍‌ବୋଧନ ଦେଇ ଖାମେନେଇ କହିଛନ୍ତି ଯେ ଇସ୍ରାଏଲର କଠୋର ମନୋଭାବକୁ ଦେଖି ଆମେ ପଛକୁ ହଟିବୁ ନାହିଁ।

ବରଂ ଶତ୍ରୁ ବିରୋଧରେ ଆମେ ଆମର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଏକଜୁଟ କରି ଲଢେଇ କରିବୁ। ଆଉ ଇରାନର ଏହି ଆକ୍ରମଣରେ ଇସ୍ରାଏଲ ସମ୍ପୂର୍ଣ୍ଣ ରୂପେ ନିଜର ସତ୍ତା ହରାଇବ। ବିଶ୍ବ ମାନଚିତ୍ରରୁ ଏହାର ଛବି ରହିବ ନାହିଁ। ସେ କହିଛନ୍ତି ଯେ ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନ ଯେଉଁ ଆକ୍ରମଣ କରିଥିଲା ତାହା ବୈଧ। ଆଜିର ଉଦ୍‌ବୋଧନ ସମୟରେ ମସ୍‌ଜିଦ ପରିସରରେ ହଜାର ହଜାର ଇରାନ ନାଗରିକ ରୁଣ୍ଡ ହୋଇଥିଲେ। ଲୋକଙ୍କ ହାତରେ ପାଲେଷ୍ଟାଇନ, ହେଜବୋଲ୍ଲା ଓ ଲେବାନନର ପତାକା ରହିଥିଲା। ଅନ୍ୟପଟେ ଖାମେନେଇ ତାଙ୍କ ହାତରେ ରୁଷ୍ ନିର୍ମିତ ଏକ ରାଇଫଲ୍‌ ଧରିଥିଲେ। ସେ କହିଥିଲେ ହମାସ ଓ ହେଜବୋଲ୍ଲା ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ କେବେହେଲେ ସଫଳ ହୋଇପାରିବ ନାହିଁ। ଖାମେନେଇଙ୍କ ଏପରି ଉଦ୍‌ବୋଧନ ବେଳେ ମସ୍‌ଜିଦ ପରିସରରେ ଥିବା ଲୋକେ କହିଥିଲେ ଯେ ଆମେ ତୁମ ସହିତ ରହିଛୁ ‘ଉଇ ଆର ୱିଥ୍‌ ୟୁ’।

ଇସ୍ରାଏଲ ବିରୋଧରେ ଇରାନ ଯୁଦ୍ଧ ଆରମ୍ଭ କରିଥିବାବେଳେ ଖାମେନେଇ ଦୀର୍ଘ ପ୍ରାୟ ୫ବର୍ଷ ପରେ ସର୍ବସାଧାରଣରେ ଉଦ୍‌ବୋଧନ ଦେଇଛନ୍ତି। କାରଣ ଖାମେନେଇଙ୍କ ଜୀବନ ପ୍ରତି ବିପଦ ଥିବା କାରଣରୁ ସେ ସର୍ବସାଧାରଣ ସ୍ଥାନରୁ ନିଜକୁ ଦୂରେଇ ରଖିଆସୁଛନ୍ତି। ମସ୍‌ଜିଦର ଶୁକ୍ରବାର ପ୍ରାର୍ଥନା ପରେ ଖାମେନେଇ ଦେଇଥିବା ଭାଷଣରେ ହେଜବୋଲ୍ଲାର ପୂର୍ବତନ ମୁଖ୍ୟ ସୟଦ ହାସନ ନସରଲ୍ଲାର ନାମ ନେଇଥିଲେ। ନସରଲ୍ଲା ଗତ ସପ୍ତାହରେ ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ତାଙ୍କର ମୃତ୍ୟୁ କେବେହେଲେ ବୃଥା ଯିବ ନାହିଁ ବୋଲି ଖାମେନେଇ କହିଛନ୍ତି। ସେ କହିଥିଲେ ଯେ ନସରଲ୍ଲାଙ୍କ ବଳିଦାନ ଆମକୁ ସର୍ବଦା ପ୍ରେରଣା ଯୋଗାଇ ଚାଲିବ। କାରଣ ସେ ଜିଓନିଷ୍ଟ (ଇହୁଦି ବାଦ୍‌)ଙ୍କ ବିରୋଧର ପ୍ରତୀକ ଥିଲେ। ଲେବାନନ୍‌ ଓ ପାଲେଷ୍ଟାଇନରେ ଆମର ଯୋଦ୍ଧାମାନେ ଅତ୍ୟନ୍ତ ସାହସର ସହିତ ଇସ୍ରାଏଲ ବିରୋଧରେ ଲଢେଇ କରୁଛନ୍ତି। ଏହି ଲଢେଇ ଆମକୁ ଦୁର୍ବଳ କରିବ ନାହିଁ; ବରଂ ଏହା ଆମକୁ ଆହୁରି ଦୃଢ କରିବ। ଖାମେନେଇଙ୍କ ଉଦ୍‌ବୋଧନ ପୂର୍ବରୁ ନସରଲ୍ଲାଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ପାଳନ କରାଯାଇଥିଲା। ଏହି ଉତ୍ସବରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସକିଆନ, ଇରାନ ରିଭୋଲ୍ୟୁସନାରୀ ଗାର୍ଡ ଜେନେରାଲ ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଗତ ମଙ୍ଗଳବାର ଇରାନ ଇସ୍ରାଏଲ ଉପରେ ପ୍ରତ୍ୟକ୍ଷ ଆକ୍ରମଣ ପୂର୍ବକ ଶତାଧିକ କ୍ଷେପଣାସ୍ତ୍ର ମାଡ କରିଥିଲା। ଇରାନର ଏହି ଆକ୍ରମଣ ଉପରେ ଇସ୍ରାଏଲ କୌଣସି ଜବାବ ଦେଇ ନାହିଁ। ତେବେ ଆଗକୁ ଇରାନ ଉପରେ ଆକ୍ରମଣ ପାଇଁ ଏହା ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି। କାରଣ ଇସ୍ରାଏଲ ଏବେ ପାଲେଷ୍ଟାଇନର ହମାସ ଓ ଲେବାନନ୍‌ର ହେଜବୋଲ୍ଲା ବିରୋଧରେ ଯୁଦ୍ଧ ଚଳାଇଛି।

ଇରାନ ହେଉଛି ହେଜବୋଲ୍ଲାର ମୁଖ୍ୟ ସମର୍ଥକ। ଇସ୍ରାଏଲ ବିରୋଧରେ ଲଢେଇ ପାଇଁ ହେଜବୋଲ୍ଲାକୁ ଇରାନ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଆସୁଛି। ହେଜବୋଲ୍ଲା ସହିତ ପାଲେଷ୍ଟାଇନର ହମାସ ଓ ୟେମେନର ହୁତି ଆତଙ୍କବାଦୀ ସଂଗଠନକୁ ମଧ୍ୟ ଇରାନ ସହଯୋଗ କରୁଛି। ଇସ୍ରାଏଲ ବିରୋଧରେ ଇରାନ ଯେଉଁ ଯୁଦ୍ଧ ଆରମ୍ଭ କରିଛି ସେଥିରେ ରୁଷ୍ ପରୋକ୍ଷ ସମର୍ଥନ ଯୋଗାଉଛି। ଅନ୍ୟପଟେ ଇସ୍ରାଏଲକୁ ଆମେରିକା ସମର୍ଥନ କରୁଛି। ଆମେରିକାର ବଡ ଶତ୍ରୁ ହେଉଛି ଇରାନ। ତେଣୁ ଦୁହିଁଙ୍କ ବିରୋଧରେ ଏବେ ପରୋକ୍ଷ ଯୁଦ୍ଧ ହେବାକୁ ଯାଉଛି। ୨୦୨୦ ଜାନୁଆରୀରେ ଖାମେନେଇ ଶେଷ ଥର ପାଇଁ ଶୁକ୍ରବାର ପ୍ରାର୍ଥନା ସଭା ପରେ ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ଇରାନସ୍ଥିତ ଆମେରିକାର ସାମରିକ ଘାଟି ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button