ରାଜ୍ୟ

ନିଲାମ ହେଲା ୧୦,୩୨୨ କୁଇଣ୍ଟାଲ୍ ଅର୍ପଣ ଚାଉଳ, ୨ କୋଟି ୮୬ ହଜାର ଟଙ୍କାରେ ହେଲା ନିଲାମ

ପୁରୀ: ନିଲାମ ହେଲା ଅର୍ପଣ ଚାଉଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସାରା ରାଜ୍ୟରୁ ସଂଗୃହୀତ ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ଗଛିତ ଥିବା ୧୦,୩୨୨ କୁଇଣ୍ଟାଲ ଅର୍ପଣ ଚାଉଳର ନିଲାମ ପ୍ରକ୍ରିୟା ଗତକାଲି ଶେଷ ହୋଇଛି । କ୍ୱିଣ୍ଟାଲ ପିଛା ୨୭୮୦ ଟଙ୍କାରେ ଏହି ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ମୋଟ ୨କୋଟି ୮୬ ଲକ୍ଷ ଟଙ୍କାରେ ଏହି ଚାଉଳ ନିଲାମ ହୋଇଛି ।

ନିଲାମରୁ ସଂଗୃହିତ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଯିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ବେଳେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା। ପୂର୍ବରୁ ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ମହାପ୍ରସାଦ ପ୍ରସ୍ତୁତ କରି ଶ୍ରୀମନ୍ଦିର ଚାରିଦ୍ବାରରେ ବଣ୍ଟାଯାଉଥିଲା । କିନ୍ତୁ ସରକାର ବଦଳିବା ପରେ ମହାପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ବନ୍ଦ ହୋଇଯାଇଥିଲା। ଫଳରେ ଆହୁରି ବହୁ ପରିମାଣର ଚାଉଳ ରହିଯାଇଥିଲା ।

ଜିଲ୍ଲାପାଳ କହିଛନ୍ତି କି, ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା ତାର ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ। ଫଳରେ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ। ଏହା ପରେ ଗତକାଲି ସିଭିଲ୍ ସପ୍ଲାଏ ଅଫିସରଙ୍କ ଦ୍ୱାରା ସଟ୍‌ ଅକ୍ସନ ଓ ସ୍ପଟ୍‌ ଅକ୍ସନ ସଂପୂର୍ଣ୍ଣ ହୋଇଥିଲା। ମୋଟ ୧୦ ହଜାର ୩୨୨ କ୍ୱିଣ୍ଟାଲ ଅର୍ପଣ ଚାଉଳକୁ କ୍ୱିଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ କରାଯାଇଛି । ମୋଟ ୨କୋଟି ୮୬ ଲକ୍ଷ ଟଙ୍କାରେ ଏହି ଚାଉଳ ନିଲାମ ହୋଇଛି । ସମସ୍ତ ଟଙ୍କାକୁ ମନ୍ଦିର ପ୍ରଶାସନ ଖାତାରେ ଜମା କରାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button