କନ୍ଦମୂଳ ଫସଲ ଉଜାଡ଼ୁଛି ବାର୍ହା; ଶତାଧିକ ଏକର ଚାଷଜମି କ୍ଷତିଗ୍ରସ୍ତ, ବନ୍ୟଜନ୍ତୁ ଉପଦ୍ରବରେ ଅତିଷ୍ଠ ଚାଷୀ

ଢେଙ୍କାନାଳ, ୨।୧୦: କନ୍ଦମୂଳ ଚାଷରେ ବାର୍ହା ସାଜିଛି ବାଧକ । ଶହ ଶହ ଏକର ଜମିରେ ହୋଇଥିବା କନ୍ଦମୂଳ ଚାଷକୁ ଉଜାଡ଼ୁଛନ୍ତି ବାର୍ହାପଲ । ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଶଙ୍କରପୁର ଅଞ୍ଚଳରେ ବାର୍ହା ଉପଦ୍ରବକୁ ନେଇ କନ୍ଦମୂଳ ଚାଷୀ ଅତିଷ୍ଠ ହୋଇପଡ଼ିଲେଣି । ପୂର୍ବରୁ ଅଞ୍ଚଳର ହଜାରେରୁ ଊଦ୍ଧ୍ୱର୍ ଏକର ଜମିରେ କନ୍ଦମୂଳ ଚାଷ ହେଉଥିଲା ।
ବନ୍ୟଜନ୍ତୁ ଉପଦ୍ରବ ଯୋଗୁଁ ଚାଷୀ କନ୍ଦମୂଳ ଚାଷରୁ ଧିରେ ଧିରେ ମୁହଁ ଫେରାଉଥିବା ବେଳେ ଏବେ ପ୍ରାୟ ଦୁଇ ଶହ ଏକରରେ ଜମିରେ ଚାଷ କରାଯାଉଛି । ବାର୍ହା ନିୟମିତ ଫସଲ ଉଜାଡ଼ୁଥିବା ବେଳେ ବାରମ୍ବାର ବନ ବିଭାଗ ନିକଟରେ ଏ ନେଇ ଚାଷୀ ଅଭିଯୋଗ କରୁଛନ୍ତି । ମାତ୍ର କୌଣସି ଠୋପ୍ ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳ କନ୍ଦମୂଳ ଚାଷ ପାଇଁ ସୁନାମ ଅର୍ଜନ କରିଥିଲା । ବେଶ୍ କିଛି ବର୍ଷ ହେବ ଏହି ଅଞ୍ଚଳରେ ବହୁ ମାତ୍ରାରେ କନ୍ଦମୂଳ ଚାଷ ହେଉଥିଲା । ଶଙ୍କରପୁର ତଥା ଆଖପାଖ ଅଞ୍ଚଳର ୧୦ରୁ ଉଦ୍ଧ୍ୱର୍ ଗାଁର ଚାଷୀ ୨ ହଜାର ଏକରରୁ ଅଧିକ ଜମିରେ କନ୍ଦମୂଳ ଚାଷ କରୁଥିଲେ । କନ୍ଦମୂଳର ଚାହିଦା ଥିବାରୁ ଦିନକୁ ଦିନ ଚାଷପ୍ରତି ଲୋକଙ୍କ ଆଗ୍ରହ ବଢ଼ିଥିଲା । ରବି ଓ ଖରିଫ୍ ଋତୁରେ ଗୌରୀ, ସୌରୀ, ଉତ୍ତମ, ଭବାନୀ ଓ କାଞ୍ଚନଗଡ଼ ଆଦି ୫ କିସମର କନ୍ଦମୂଳ ଚାଷ ହୋଇଥାଏ । ରବି ଋତୁରେ ଏଠାରୁ ହଜାର ହଜାର କୁଇଣ୍ଟାଲ୍ କନ୍ଦମୂଳ ଉତ୍ପାଦନ ହୋଇଥାଏ । ଏଠାରୁ ଉତ୍ପାଦିତ କନ୍ଦମୂଳ ପୁରୀ ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ଯାଇଥାଏ ।
ପୁରୀ ବ୍ୟତୀତ ଗଞ୍ଜାମ, ରାୟଗଡ଼ା, ଭଦ୍ରକ, ନବରଙ୍ଗପୁର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ସହରକୁ କନ୍ଦମୂଳ ରପ୍ତାନୀ କରାଯାଉଥିଲା । କନ୍ଦମୂଳରୁ ଚିପ୍ପ ଓ ଗୋଲାପଜାମୁ ମଧ୍ୟ ପ୍ରସ୍ତୁତ ହୋଇଥାଏ । କମ୍ ଖର୍ଚ୍ଚରେ ଅଧିକ ଲାଭ ଥିବାରୁ କନ୍ଦମୂଳ ଚାଷର ଚାହିଦା କହିଲେ ନସରେ । ହେଲେ ଗତ କିଛିବର୍ଷ ଧରି ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଏହି ଅର୍ଥକାରୀ ଫସଲ ଉପରୁ ଚାଷୀମାନେ ମୁହଁ ଫେରାଇବା ଆରମ୍ଭ କରିଛନ୍ତି । ଯେଉଁଠି ଦିନେ ହଜାର ହଜାର ଏକର ଜମିରେ କନ୍ଦମୂଳ ଚାଷ ହେଉଥିଲା ସେଠି ଏବେ ମାତ୍ର ଶହେ ଦୁଇଶହ ଏକର ଜମିରେ ଚାଷ କରାଯାଇଛି । ଯେଉଁ ଚାଷୀ କନ୍ଦମୂଳ ଚାଷ କରିଛନ୍ତି ସେମାନେ ଚିନ୍ତାରେ ରହିଛନ୍ତି । ଭଲ ଫସଲ ହୋଇଥିଲେ ମଧ୍ୟ ବାର୍ହା ଉପଦ୍ରବରୁ ତାହା ନଷ୍ଟ ହୋଇଯାଉଛି । କନ୍ଦମୂଳ ବଢ଼ିବା ଆରମ୍ଭ ଦିନଠାରୁ ବାର୍ହାମାନଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସଂଧ୍ୟା ପରଠାରୁ ବାର୍ହା ପଲ ପଲ ହୋଇ କ୍ଷେତରେ ପଶି ଲଗାଯାଇଥିବା କନ୍ଦମୂଳକୁ ମାଟିରୁ ବାହାର କରି ଖାଇ ଯାଉଛନ୍ତି । ବାର୍ହା ଘଉଡ଼ାଇବା ପାଇଁ ଚାଷୀମାନେ ବିଭିନ୍ନ ଅଭିନବ କୌଶଳ ଖଟାଇଥିବାବେଳେ ବାର୍ହା ଏହାକୁ ଭ୍ରୁକ୍ଷେପ କରୁନାହାନ୍ତି । ସେହିପରି ବନବିଭାଗକୁ ଚାଷୀ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନି । ବରଂ ଚାଷ ନଷ୍ଟ ହେଲେ କ୍ଷତିପୂରଣ ବ୍ୟବସ୍ଥା ରହିଥିବା କଥା କହି ବନବିଭାଗ ଏହାକୁ ଏଡ଼ାଇ ଦେଉଛି ।
ଯାହାଫଳରେ ଦିନକୁ ଦିନ ଏହି ଚାଷ ଉପରେ ଲୋକେ ଆସ୍ଥା ହରାଇବାକୁ ବସିଲେଣି । ବାର୍ହା ଉପଦ୍ରବରେ ଫସଲହାନୀ ଚାଷୀଙ୍କ ପାଇଁ ଏବେ ବେଡ଼ି ଉପରେ କୋରଡାମାଡ଼ ସଦୃଶ ହୋଇଛି । ଏନେଇ ଶଙ୍କରପୁରର କନ୍ଦମୂଳ ଚାଷୀ ପ୍ରଦୀପ ରାଉତ କହିଛନ୍ତି, ଅନ୍ୟ ଚାଷ ଭଳି କନ୍ଦମୂଳ ଚାଷରେ ଏତେ ବ୍ୟୟ ବହୁଳ ବା ଅଧିକ ଖର୍ଚ୍ଚାନ୍ତ ହେଉନଥିବାରୁ ଚାଷୀମାନେ ଏହାକୁ ଆପଣେଇଥିଲେ । ଏହା ଥରେ ଲଗେଇବା ପରେ ଅଳ୍ପ ଯତ୍ନ ନେଲେ ମଧ୍ୟ ଏହା ଭଲ ଅମଳ ହୋଇଥାଏ । ଚାଷୀମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ମାତ୍ର ବନ୍ୟଜନ୍ତୁଙ୍କ ପାଦୃର୍ଭାବ ହେତୁ ବହୁ ଚାଷୀ ଏହି ଚାଷରୁ ମନ ଫେରାଉଛନ୍ତି । ଏନେଇ ବନ ବିଭାଗକୁ କହିବା ପରେ ମଧ୍ୟ କିଛି ସୁଫଳ ମିଳୁନଥିବା ଶ୍ରୀ ରାଉତ ଅଭିଯାଗ କରିଛନ୍ତି । ଫସଲ ନଷ୍ଟ ହେବା ପରେ ଅଧିକାରୀମାନେ ଆସି କେବଳ ଫଟୋ ଉଠାଇ ଚାଲିଯାଆନ୍ତି । ନା କ୍ଷତି ପୂରଣ ଦିଅନ୍ତି ନା ଚାଷ ପାଇଁ କିଛି ସହାୟତା ପ୍ରଦାନ କରନ୍ତି ବୋଲି ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀ ନିଜ ଖର୍ଚ୍ଚ ଏବଂ ନିଜ ସୁବିଧାରେ ବିହନ ଆଣି କନ୍ଦମୂଳ ଚାଷ କରୁଥିବାବେଳେ ସେମାନଙ୍କର ଫସଲ ସୁରକ୍ଷା କିମ୍ବା ଉପଯୁକ୍ତ କ୍ଷତିପୂରଣ ଦେବାରେ ପ୍ରଶାସନିକ ଅଧିକାରୀମାନେ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ଶଙ୍କରପୁର ଅଞ୍ଚଳରେ କନ୍ଦମୂଳ ଚାଷ ଦିନକୁ ଦିନ ଲୋପ ପାଇବାକୁ ବସିଛି । ବନବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ଉପଦ୍ରବରେ ଫସଲ ହାନୀ ହେଲେ କ୍ଷତିପୂରଣ ଦେବାପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହେଉଛି ।