ଦେଶ- ବିଦେଶ

ଇସ୍ରାଏଲ-ହେଜବୁଲ୍ଲା ନିର୍ଣ୍ଣାୟକ ଯୁଦ୍ଧମୁହାଁ: ଲେବାନନ୍‌ରେ ୯୦ ହଜାର ବିସ୍ଥାପିତ

ତେଲ୍ ଅବିବ: ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହେଜବୁଲ୍ଲା ବୁଧବାର କହିଛି ଯେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦର ତେଲ୍ ଅବିବ ସ୍ଥିତ ମୁଖ୍ୟାଳୟକୁ ଟାର୍ଗେଟ କରି ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ତେବେ ଏହି ଆକ୍ରମଣକୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିଫଳ କରିଦେଇଛି।

କେନ୍ଦ୍ରୀୟ ଇସ୍ରାଏଲ ଆକାଶରେ ଏହି କ୍ଷେପଣାସ୍ତ୍ରକୁ ନଷ୍ଟ କରିବାରେ ‘ଆଇରନ୍ ଡୋମ୍’ ସଫଳ ହୋଇଥିବାରୁ ବଡ଼ ଧ୍ବଂସଲୀଳା ଟଳିଯାଇଛି। ଦକ୍ଷିଣ ଲେବାନନ୍ରେ ଯେଉଁ ସ୍ଥାନରୁ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଥିଲା ସେହି ସ୍ଥାନକୁ ତତ୍କାଳ ଇସ୍ରାଏଲ ସେନା ଟାର୍ଗେଟ୍ କରିଛି। ଅନ୍ୟପକ୍ଷରେ ଗତ ୩ ଦିନର ସଂଘର୍ଷରେ ଲେବାନନ୍ରେ ଛାରଖାର ଅବସ୍ଥା ଦେଖିବାକୁ ମିଳିଛି ଏବଂ ୯୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବୋମା ବର୍ଷାରେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ସମୂଳେ ଧ୍ବଂସ ହୋଇଛି।

ଏଭଳି ସ୍ଥିତିରେ ଲେବାନନ୍ ସ୍ଥିତି ଗାଜା ଭଳି ହେବ ବୋଲି ଆଶଙ୍କା କରାଯାଉଛି । ଗାଜାରେ ଇସ୍ରାଏଲର ଆକ୍ରମଣ ପରେ ଯେଉଁ ବିନାଶକାରୀ ସ୍ଥିତି ସୃଷ୍ଟି ହୋଇଛି, ସେଭଳି ସ୍ଥିତି ଲେବାନନ୍ରେ ମଧ୍ୟ ଉପୁଜିବ ବୋଲି ମଧ୍ୟପ୍ରାଚ୍ୟର ଅନେକ ସାମରିକ ବିଶେଷଜ୍ଞଙ୍କ ମନ୍ତବ୍ୟ ଆଲୋଡ଼ନ ସୃଷ୍ଟି କରିଛି। ଇରାନ୍ କହିଛି ଯେ ଲେବାନନ୍କୁ କୌଣସି ପରିସ୍ଥିତିରେ ବି ଆଉ ଏକ ଗାଜାରେ ପରିଣତ ହେବାକୁ ଦିଆଯିବ ନାହିଁ ଏବଂ ଇସ୍ରାଏଲକୁ ତା’ର କର୍ମ ପାଇଁ ଶାସ୍ତି ମିଳିବ। ହେଜବୁଲ୍ଲା ଆଜି ତେଲ୍ ଅବିବକୁ ଟାର୍ଗେଟ୍ କରି କାଦର-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ ଏହା କେନ୍ଦ୍ରୀୟ ଇସ୍ରାଏଲ ପର୍ଯ୍ୟନ୍ତ ପହଂଚିବାରେ ସକ୍ଷମ ହୋଇଥିବାରୁ ଇସ୍ରାଏଲ ବାୟୁସେନା ହାଇଆଲର୍ଟରେ ରହିଛି। ସୋମବାର ଓ ମଙ୍ଗଳବାର ଇସ୍ରାଏଲର ଆକ୍ରମଣରେ ଲେବାନନ୍ରେ ମୃତ୍ୟୁସଂଖ୍ୟା ୬୦୦ ଟପିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି।

ମୋସାଦ୍ ମୁଖ୍ୟାଳୟକୁ ଟାର୍ଗେଟ କରି ହେଜବୁଲ୍ଲାର କ୍ଷେପଣାସ୍ତ୍ର ମାଡ଼
ସବୁ ଅଂଚଳରେ ଧ୍ବଂସଲୀଳା

ଇସ୍ରାଏଲ ଓ ହେଜବୁଲ୍ଲା କାହିଁକି ଲଢୁଛନ୍ତି?
ଗତ ୧୧ ମାସ ଧରି ଇସ୍ରାଏଲ ଓ ଲେବାନନ୍ ଆତଙ୍କବାଦୀ ସଂଗଠନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗାଜାରେ ଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ ଜଣାଇ ହେଜବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ ରକେଟ୍, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରୁଥିବାରୁ ଇସ୍ରାଏଲ ଏବେ ହେଜବୁଲ୍ଲାକୁ ଶେଷ କରିଦେବା ପାଇଁ ସଂକଳ୍ପ ନେଇଛି। ହେଜବୁଲ୍ଲା ସହ ବିବାଦର ସମାଧାନ ପାଇଁ କୌଣସି କୂଟନୈତିକ ସମାଧାନ ନାହିଁ ଏବଂ ଏକ ଆତଙ୍କୀ ସଂଗଠନ ସହ କୌଣସି ସାଲିସ କରାଯିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିଛନ୍ତି।

ସେପ୍ଟେମ୍ବର ୧୭ ଓ ୧୮ ତାରିଖରେ ଲେବାନନ୍ରେ ହୋଇଥିବା ପେଜର୍ ଏବଂ ୱାକି-ଟକି ବିସ୍ଫୋରଣରେ ହେଜବୁଲ୍ଲାର ୩୭ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୩,୦୦୦ରୁ ଅଧିକ ଆହତ ହୋଇଥିଲେ। ଏହାର ଜବାବରେ ହେଜବୁଲ୍ଲା ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିବା ପରେ ଇସ୍ରାଏଲ ତା’ର ଆକ୍ରମଣକୁ ଅଧିକ ଭୀଷଣ କରିଛି। ସୂଚନାଯୋଗ୍ୟ, ଇସ୍ରାଏଲ-ଲେବାନନ୍ ସୀମାରେ ଜାତିସଂଘ ଶାନ୍ତି ରକ୍ଷା ବାହିନୀ ମଧ୍ୟ ମୁତୟନ ଅଛନ୍ତି ଏବଂ ସେଥିରେ ଭାରତୀୟ ସେନାର ୬ ଶହ ଯବାନ ଅଛନ୍ତି। ପରିସ୍ଥିତି ଉପରେ ଭାରତୀୟ ସେନାର ସତର୍କ ନଜର ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button