ରାଜ୍ୟ

ମହିଳା ପୁଲିସଙ୍କୁ ନିର୍ଯାତନା ମାମଲା: ଥାନାରୁ ହଟିଲେ ଥାନା ଅଧିକାରୀ

ରାଉରକେଲା/ବନ୍ଧମୁଣ୍ଡା: ଥାନାରେ କାର୍ଯ୍ୟରତ ମହିଳାପୁଲିସ କର୍ମଚାରୀ ଅସୁକ୍ଷିତ। ବନ୍ଧମୁଣ୍ଡା ଥାନାରୁ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳା ପୁଲିସ କର୍ମଚାରୀଙ୍କୁ ନିର୍ଯାତନା ଓ ଅସଦାଚରଣ କରିବା ଥାନାଅଧିକାରୀଙ୍କୁ ମହଙ୍ଗା ପଡ଼ିଛି।

ଏସ୍ପି ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶକ୍ରମେ ବନ୍ଧମୁଣ୍ଡା ଥାନାଅଧିକାରୀ ଅଶୋକ କୁମାର ଦାସଙ୍କୁ ଥାନାରୁ ହଟାଯାଇଛି।

ତାଙ୍କୁ ପୁଲିସ ମୁଖ୍ୟାଳୟକୁ ପଠାଇ ଦିଆଯାଇଛି। ମହିଳାପୁଲିସଙ୍କ ଲିଖିତ ଅଭିଯୋଗ ଆଧାରରେ ଡିଏସ୍ପି ନିର୍ମଳ ମହାପାତ୍ର ଘଟଣାର ତଦନ୍ତ କରୁଛନ୍ତି।

ଅଭିଯୋଗ ଆସିବା ପରେ ଥାନାଅଧିକାରୀ ଅଶୋକ ଦାସଙ୍କୁ ଥାନାରୁ ହଟାଇ ଦିଆଯାଇଛି ବୋଲି ଡିଏସ୍ପି କହିଛନ୍ତି। ଉଭୟ ଥାନା ଅଧିକାରୀ ଓ ମହିଳାପୁଲିସଙ୍କୁ ଘଟଣାର ସତ୍ୟତା ସମ୍ପର୍କରେ ପଚରାଉଚୁରା କରାଯାଉଛି।

ମିଳିଥିବା ସୂଚନା ମୁତାବକ ଗତ ବିଧାନସଭା ନିର୍ବାଚନ ସମୟରେ ବନ୍ଧମୁଣ୍ଡା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସକର୍ମଚାରୀଙ୍କୁ ଥାନା ଅଧିକାରୀ ଅଶୋକ ଦାସ ଅସଦାଚରଣ କରିଆସୁଥିଲେ। ମହିଳା ପୁଲିସ କର୍ମଚାରୀ ପ୍ରତିବାଦ କରୁଥିଲେ ହେଁ, ଥାନା ଅଧିକାରୀ ତାଙ୍କର କୌଣସି କଥା ଶୁଣୁ ନ ଥିଲେ।

ନିରାଶ ହେବା ପରେ ମହିଳାପୁଲିସ ଜଣକ ଏସ୍ପି ବ୍ରିଜେଶ ରାୟଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ। ଘଟଣାର ତଦନ୍ତକରି ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ଏସ୍ପି ଶ୍ରୀ ରାୟ ଡିଏସ୍ପିଙ୍କୁ ଘଟଣା ତଦନ୍ତ ନିର୍ଦେଶ ଦେଇଥିଲେ।

ଥାନାଅଧିକାରୀ ଅଶୋକ ଦାଶ କହିଛନ୍ତି ସେ କେଣସି ମହିଳା ପୁଲିସକର୍ମଚାରୀଙ୍କୁ ନିର୍ଯାତନା ଦେଇନାହାନ୍ତି। ଗତ ୧୭ରେ ଡ୍ୟୁଟିକୁ ବିଳମ୍ବରେ ଆସିଥିଲେ। ତାଙ୍କୁ ଠିକ୍ ସମୟରେ ଡ୍ୟୁଟିକରିବାକୁ ତାଗିଦ୍ କରିଥିଲି। ମୋତେ ଜାଣିଶୁଣି ମହିଳାପୁଲିସ କର୍ମଚାରୀ ଜଣକ ବଦନାମ୍ କରୁଛନ୍ତି। ତେବେ ତଦନ୍ତ ପରେ ମହିଳାପୁଲିସ ଜଣକ ଥାନାଅଧିକାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଛନ୍ତି କି ନାହିଁ ଜଣାପଡ଼ିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button