ପୁଟିନଙ୍କ ଧମକ, ସାରା ୟୁରୋପ ଜଳିବ

ନୂଆଦିଲ୍ଳୀ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଆମେରିକା ଏବଂ ଜର୍ମୀନା ସହାୟତାରେ ୟୁକ୍ରେନ ରୁଷିଆରେ ଆକ୍ରମଣ କରୁଥିବାରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଧମକ ଦେଇଛନ୍ତି ଯେ ୟୁକ୍ରେନକୁ ସାମରିକ ସହାୟତା ପଠାଇ ଆମେରିକା ଏବଂ ସହଯୋଗୀ ୟୁରୋପୀୟ ରାଷ୍ଟ୍ର ନିଆଁ ସହ ଖେଳୁଛନ୍ତି।
ଏଥିରୁ ନିବୃତ୍ତ ନ ରହିଲେ ସାରା ୟୁରୋପରେ ନିଆଁ ଲାଗିବ।
ସେଣ୍ଟ ପିଟରବର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଟିନ କହିଛନ୍ତି ଯେ ୟୁରୋପର ବିଭିନ୍ନ ସ୍ଥାନରେ ଥିବା ଆମେରିକା ଏବଂ ସହଯୋଗୀ ରାଷ୍ଟ୍ରଙ୍କ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବ। ଆମେରିକା ଓ ଜର୍ମାନୀ ୟୁକ୍ରେନକୁ ସାମରିକ ସହାୟତା ଦେଇ ନିଜକୁ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସାମିଲ କରିଛନ୍ତି। ରୁଷିଆ ଏହାର ଠିକଣା ଜବାବ ଦେବାକୁ ପଛାଇବ ନାହିଁ। ଏହି ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବା ଲାଗି ରୁଷିଆ ଏହାର ସହଯୋଗୀ ରାଷ୍ଟ୍ରଙ୍କୁ ଦୂରଗାମୀ କ୍ଷେପଣାସ୍ତ୍ର/ଅସ୍ତ୍ର ଯୋଗାଇବ।
ପୁଟିନ କହିଲେ େଯ ରୁଷିଆରେ ଆକ୍ରମଣ ଲାଗି ୟୁକ୍ରେନ ଆମେରିକା ଏବଂ ଜର୍ମାନୀ ନିର୍ମିତ ଅସ୍ତ୍ର ବ୍ୟବହାର କରୁଛି। ଏହି ଦୁଇ ଦେଶକୁ ସମାଲୋଚନା କରି ସେ କହିଲେ ଯେ ଏହାର ଜବାବ ଦେବାଲାଗି ରୁଷିଆର ମଧ୍ୟ କ୍ଷମତା ରହିଛି। କେବଳ ୟୁରୋପ ନୁହେଁ; ବିଶ୍ବର ଯେଉଁ ଯେଉଁ ଅଞ୍ଚଳରେ ରୁଷିଆର ସହଯୋଗୀ ରାଷ୍ଟ୍ର ଅଛନ୍ତି, ସେମାନଙ୍କୁ ମଧ୍ୟ ଏଳି କ୍ଷେପଣାସ୍ତ୍ର ଯୋଗାଇ ଦିଆଯିବ। ସେମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଆେମରିକା ସମର୍ଥିତ ଦେଶ ଉପରେ ସେମାନେ ଆକ୍ରମଣ କରିପାରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି ଫ୍ରାନ୍ସ ଗସ୍ତରେ ଥିବା ବେଳେ ପୁଟିନ ସେମାନଙ୍କୁ ଏଭଳି ଧମକ ଦେଇଛନ୍ତି। ରୁଷିଆରେ ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ଆମେରିକା ନିର୍ମିତ ରକେଟରେ ୟୁକ୍ରେନ ରୁଷିଆ ଭିତରେ ଆକ୍ରମଣ କରିଛି। ଏଥିରେ ଜଣେ ମହିଳା ଏବଂ ଶିଶୁର ମୃତ୍ୟୁ ଘଟିଛି। ଉତ୍ତେଜନା ପାଇଁ ସେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ମଧ୍ୟ ଦାୟୀ କରିଛନ୍ତି। ମାକ୍ରନ ୟୁକ୍ରେନକୁ ମିରଜ୍ ଲଢ଼ୁଆ ବିମାନ ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଫ୍ରାନ୍ସର ଏଭଳି ପ୍ରତିଶ୍ରୁତି ରୁଷିଆ ସହିତ ଯୁଦ୍ଧ ଘୋଷଣା ସହିତ ସମାନ। ୟୁରୋପୀୟ ରାଷ୍ଟ୍ରଙ୍କ ଏଭଳି ଆଭିମୁଖ୍ୟ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ କେତେକ ଅଞ୍ଚଳରେ ରୁଷିଆ ଇତିମଧ୍ୟରେ ଏହାର ନୌସେନା ଉପସ୍ଥିତିକୁ ସଂପ୍ରସାରିତ କରିବାରେ ଲାଗିଛି। ଏଥିରୁ ବିଶ୍ବର ଦୃଷ୍ଟି ହଟାଇବା ଲାଗି ପୁଟିନ ଏଭଳି ଧମକ ଦେଉଛନ୍ତି। ତେବେ ରୁଷିଆ ଉପରେ ଅାକ୍ରମଣ ଲାଗି ୟୁକ୍ରେନକୁ ଆେମରିକାର ସହାୟତା ବିଷୟରେ ସେ କିଛି କହି ନାହାନ୍ତି।
ଇତିମଧ୍ୟରେ ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ ରୁଷିଆର ଦୁଇ ଦିନିଆ ଗସ୍ତରେ ଆଜି ମସ୍କୋ ଯାଇଛନ୍ତି। ରୁଷିଅା-ୟୁକ୍ରେନ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରୁ ବୋଲି ପୁଟିନ କହିବା ପରେ ଭାରତ ଏଦିଗରେ ଉଦ୍ୟମ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ଏବଂ ୟୁକ୍ରେନ ଗସ୍ତ କରି ଉଭୟ ଦେଶର ନେତାମାନଙ୍କ ସହିତ ଅଲୋଚନା କରିଛନ୍ତି। ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ନିମନ୍ତେ ଡାଭୋଲଙ୍କୁ ମସ୍କୋ ପଠାଯାଇଛି। ଡାଭୋଲ ସେଠାରେ ପୁଟିନ ଏବଂ ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।




