ଦେଶ- ବିଦେଶ

ନିଷିଦ୍ଧ ଦେଶରେ ପ୍ରଥମ ଭାରତୀୟ ଗୁପ୍ତଚର!

୧୮୦୦ ମସିହା ବେଳକୁ ତିବ୍ବତ ଥିଲା ଅବଶିଷ୍ଟ ବିଶ୍ବ ପାଇଁ ଗୋଟାଏ ରହସ୍ୟ। ପାଶ୍ଚାତ୍ୟ ଏହାକୁ ଅଗମ୍ୟ ଓ ଅଜ୍ଞାତ ଦେଶ ଭାବେ ଅଭିହିତ କରୁଥିଲା । ପଡ଼ୋଶୀ ଭାରତ ଓ ଚୀନ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳର କତିପୟ ଜନଜାତି, ବୌଦ୍ଧଭିକ୍ଷୁ କିମ୍ବା ପରିବ୍ରାଜକଙ୍କୁ ଛାଡ଼ିଦେଲେ ସେଠାକୁ ଯିବା ଲାଗି ପ୍ରାୟ କାହାକୁ ଅନୁମତି ନଥିଲା। ତିବ୍ବତ ରୁଷ୍ର ନିକଟବର୍ତ୍ତୀ ହୋଇଥିବାରୁ ତା’ର ସମ୍ଭାବ୍ୟ ପ୍ରବେଶ ଆଶଙ୍କାରେ ବ୍ରିଟିସ୍ ଶାସକ ସେଠାରେ ନିଜ ପ୍ରଭାବ ବିସ୍ତାର କରିବାକୁ ବ୍ୟଗ୍ର ଥିଲେ।

କିନ୍ତୁ, ଦୁର୍ଗମ ଗିରିପଥ ଓ ଘନ ଅରଣ୍ୟ ଦେଇ ତିବ୍ବତକୁ ଲମ୍ବିଥିବା ବିପଜ୍ଜନକ ରାସ୍ତା ଅତିକ୍ରମ କରିବା ଥିଲା କାଠିକର ପାଠ। ତେଣୁ, ଆଗ ଗୁପ୍ତଚର ପଠାଇ ତିବ୍ବତର ମାନଚିତ୍ର ଓ ପରିସ୍ଥିତି ବିଷୟ ଜାଣିବାକୁ ବ୍ରିଟିସ୍ ସରକାର ଯୋଜନା କଲେ। ଯୋଜନା ସାକାର କରିବାକୁ ସେମାନେ ଜଣେ ଉଚ୍ଚଶିକ୍ଷିତ ଭାରତୀୟ ଇଂଜିନିୟର୍ଙ୍କୁ ଗୁପ୍ତଚର କରି ତିବ୍ବତ ପଠାଇଲେ। ସେ ଥିଲେ କଲିକତା ପ୍ରେସିଡେନ୍ସି କଲେଜ୍ ପଢୁଆ ଶରତ ଚନ୍ଦ୍ର ଦାଶ। ବୃତ୍ତିରେ ଶିକ୍ଷାବିତ୍ ହୋଇଥିଲେ ବି ଶରତ ଥିଲେ ଜଣେ ଅସାଧାରଣ ପରିବ୍ରାଜକ। ସେ ଗୁପ୍ତ ଅଭିଯାନରେ ଦୁଇଥର ତିବ୍ବତ ଯାଇଥିଲେ, କିନ୍ତୁ ସେଠାରୁ ଫେରିଥିଲେ ଜଣେ ଖ୍ୟାତନାମା ବୌଦ୍ଧଶାସ୍ତ୍ରୀ ହୋଇ। ବ୍ରିଟିସ୍ ସରକାରଙ୍କୁ ସେ ତିବ୍ବତର ମାନଚିତ୍ର ପ୍ରସ୍ତୁତ କରିବାରେ ସହାୟକ ହେବାସହ ସେଠାକାର ଶାସନ ବ୍ୟବସ୍ଥା ଓ ସାମରିକ ସାମର୍ଥ୍ୟ ସଂପର୍କରେ ବହୁ ଅଜ୍ଞାତ ତଥ୍ୟ ପ୍ରଦାନ କରିଥିଲେ।

ଇଞ୍ଜିନିୟରିଙ୍ଗ୍ ପଢ଼ି ପ୍ରଧାନଶିକ୍ଷକ
ପୂର୍ବବଙ୍ଗ (ଅଧୁନା ବାଂଲାଦେଶ) ଚିଟ୍ଟାଗଙ୍ଗ ଜିଲ୍ଲାରେ ଏକ ମଧ୍ୟବିତ୍ତ ବୈଦ୍ୟ ବ୍ରାହ୍ମଣ ପରିବାରରେ ୧୮୪୯ରେ ଜନ୍ମିତ ଶରତ କଲିକତାର ସମ୍ମାନଜନକ ଶିକ୍ଷାନୁଷ୍ଠାନ ପ୍ରେସିଡେନ୍ସି କଲେଜ୍ରେ ସିଭିଲ୍ ଇଞ୍ଜିନିୟରିଙ୍ଗ୍ ପଢ଼ିଥିଲେ। ଅତ୍ୟନ୍ତ ମେଧାବୀ ହୋଇଥିବାରୁ ସେ ବ୍ରିଟିସ୍ ଶିକ୍ଷକମାନଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। ତେଣୁ, ଇଞ୍ଜିନିୟରିଙ୍ଗ୍ ଡିଗ୍ରି ହାସଲ କରିବା ଆଗରୁ ତାଙ୍କୁ ଦାର୍ଜିଲିଙ୍ଗ୍ସ୍ଥିତ ଭୁତିଆ ବୋର୍ଡିଙ୍ଗ୍ ସ୍କୁଲ୍ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ କରାଗଲା। ସେ ସ୍କୁଲ୍ରେ ପାହାଡ଼ୀ ମୁଲକର ବାଳକମାନଙ୍କୁ ମୌଳିକ ଇଂରାଜୀ ଓ ବିଜ୍ଞାନ ସମେତ ମାନଚିତ୍ର ଅଙ୍କନ ଓ ସର୍ବେକ୍ଷଣ ଲାଗି ପ୍ରଶିକ୍ଷଣ ଦେଉଥିଲେ।
ନିଷିଦ୍ଧ ଓ ନିଭୃତ ଦେଶ ୟୁରୋପୀୟଙ୍କ ପରିକଳ୍ପନାରେ ତିବ୍ବତ ଓ ତା’ର ରାଜଧାନୀ ଲାସା ଥିଲା ଗୋଟାଏ କଳ୍ପନା ରାଜ୍ୟ। ଚୀନ୍ ଡରରେ ୧୭୦୦ ଶତାବ୍ଦୀ ଶେଷ ଭାଗରୁ ତିବ୍ବତର ଶାସକ ପାଶ୍ଚାତ୍ୟବାସୀଙ୍କୁ ଦେଶରେ ପୂରାଇ ଦେଉ ନ ଥିଲେ। ଏପରିକି ପଡ଼ୋଶୀ ଭାରତୀୟମାନଙ୍କ ପାଇଁ ବି ତିବ୍ବତ ଥିଲା ନିଷିଦ୍ଧ। କିନ୍ତୁ, ସୀମାନ୍ତରେ ବସବାସ କରୁଥିବା ତିବ୍ବତୀୟ ଓ ଭାରତୀୟ ପାହାଡ଼ୀ ଜନଜାତିଙ୍କ ମଧ୍ୟରେ ଆବହମାନ କାଳରୁ ବେପାରବଣିଜ ଚାଲିଥିଲା। ବୌଦ୍ଧଭିକ୍ଷୁମାନେ ବି ଅବାଧରେ ତିବ୍ବତ ଯାଇ ପାରୁଥିଲେ।

ଠେଙ୍ଗାରେ କମ୍ପାସ୍, ହାତରେ ମାଳା
ବ୍ରିଟିସ୍ ସରକାର ତିବ୍ବତକୁ ବୌଦ୍ଧଭିକ୍ଷୁ ଓ ଭାରତୀୟ ପଣ୍ଡିତରୂପୀ ଦକ୍ଷ ଗୁପ୍ତଚର ପଠାଇବାକୁ ଯୋଜନା କଲେ। ଗୁପ୍ତଚରଙ୍କୁ ବୌଦ୍ଧଭିକ୍ଷୁ ବେଶ କରି ହାତରେ କମ୍ପାସ୍ ଓ ପାହୁଣ୍ଡ ଗଣନା ଲାଗି ଶହେ ମାଳିରେ ଗୁନ୍ଥା ମାଳା ଦେଇ ତିବ୍ବତ ପଠାଗଲା। ବାଉଁଶ ଠେଙ୍ଗା ଭିତରେ କମ୍ପାସ୍ ରଖାଗଲା। ବୌଦ୍ଧ ଭିକ୍ଷୁମାନେ ୧୦୮ ମାଳି ଗୁନ୍ଥା ମାଳା ଧାରଣ କରୁଥିବା ବେଳେ ଛଦ୍ମବେଶୀମାନେ ୧୦୦ ମାଳି ଗୁନ୍ଥା ମାଳା ଧରିଥିଲେ। କାଗଜ ଲୁଚାଯାଇଥିଲା ସେମାନେ ସାଥିରେ ନେଉଥିବା ପୋଲା ମଣିଚକ୍ରରେ। ତିବ୍ବତର ବିଭିନ୍ନ ଅଞ୍ଚଳରେ ଚାଲି ଚାଲି ଯିବାବେଳେ କେଉଁ ଅଞ୍ଚଳ କେତେ ପାହୁଣ୍ଡ ହେଉଛି ତାହା ମାଳାରେ ଗଣନା କରି ମାନଚିତ୍ର ଲାଗି ଲିପିବଦ୍ଧ କରିବା ଅଥବା ସେ ଅଞ୍ଚଳର ମାନଚିତ୍ର ଅଙ୍କନ କରିବା ଦାୟିତ୍ବ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା।

ପ୍ରଧାନଶିକ୍ଷକରୁ ବିଦେଶୀ ଛାତ୍ର
ବ୍ରିଟିସ୍ ସରକାର ପଠାଉଥିବା ଛଦ୍ମବେଶୀ ପଣ୍ଡିତମାନଙ୍କ ମଧ୍ୟରେ ଥିଲେ ଶରତ। ପୂର୍ବରୁ ତିବ୍ବତ ଯାଇଥିବା ବ୍ରିଟିସ୍ ପରିବ୍ରାଜକମାନଙ୍କର ରଚନାବଳି ପଢ଼ି ସେଠାକାର ଅଧିବାସୀ ଓ ସେମାନଙ୍କ ସଂସ୍କୃତି ଜାଣିବା ଲାଗି ସେ କେବେଠୁ ମନ ବଳାଇଥିଲେ। ବୋର୍ଡିଙ୍ଗ୍ ସ୍କୁଲ୍ରେ ଶରତଙ୍କ ସହିତ ସହକାରୀ ଶିକ୍ଷକ ଭାବେ କାମ କରୁଥିଲେ ତିବ୍ବତର ପ୍ରସିଦ୍ଧ ସାଶି ଲୁନ୍ପୋ ମଠ ସହିତ ସମ୍ପୃକ୍ତ ଥିବା ବୌଦ୍ଧଭିକ୍ଷୁ ୟୁଜିୟେନ୍ ଜିୟାସୋ। ତାଙ୍କ ସହାୟତାରେ ଶରତ ବୌଦ୍ଧଧର୍ମ ଶିକ୍ଷା ଆଗ୍ରହୀ ଛାତ୍ର ବେଶରେ ତିବ୍ବତ ଗଲେ। ସେ ମଠର ଜଣେ ପ୍ରଭାବଶାଳୀ ବୌଦ୍ଧଭିକ୍ଷୁଙ୍କୁ କୁହାବୋଲା କରି ୟୁଜିୟେନ୍ ଶରତଙ୍କ ପାଇଁ ପାସ୍ପୋର୍ଟ ବ୍ୟବସ୍ଥା କରାଇଦେଲେ। ସର୍ତ୍ତ ରହିଲା ପ୍ରତିବଦଳରେ ଶରତ ସେଠାକାର ସେ ବୌଦ୍ଧଭିକ୍ଷୁଙ୍କୁ ହିନ୍ଦୀ ଶିଖାଇଦେବେ।

ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ
ଏଥର ବ୍ରିଟିସ୍ ଅଧିକାରୀମାନେ ଶରତଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାକିରିରୁ ଛୁଟି ଦେବା ସହିତ ଗୁପ୍ତଚରଗିରି ଉପରେ କ୍ରାସ୍ କୋର୍ସ ବି କରାଇ ଦେଲେ। ଏଭଳି ସୁଯୋଗ ପାଇଥିବା ଶରତ ଦୁଇ ଥର ତିବ୍ବତ ଯାଇଥିଲେ। ୧୮୭୯ରେ ପ୍ରଥମ ଗସ୍ତରେ ତିବ୍ବତ ଯାଇ ଶରତ ଚାରିମାସ ରହିଲେ। ସେଠାକାର ସାଶୀ ଲୁନ୍ଫୋ ମଠରେ ସେ ମନୋଯୋଗ ସହକାରେ ତିବ୍ବତୀୟ ସଂସ୍କୃତି ଓ ପ୍ରଥା ପରମ୍ପରା ଅଧ୍ୟୟନ କଲେ। ଏକଥା ଜାଣି ତିବ୍ବତର ପ୍ରଧାନମନ୍ତ୍ରୀ ମୁଗ୍ଧ ହୋଇ ତାଙ୍କୁ ପୁନଶ୍ଚ ତିବ୍ବତ ଆସିବାକୁ ଆମନ୍ତ୍ରଣ କଲେ।

ପୁନଶ୍ଚ ତିବ୍ବତ ଯାତ୍ରା
୧୮୮୧ରେ ଦ୍ବିତୀୟ ପାଳି ତିବ୍ବତ ଗସ୍ତରେ ଯାଇ ଶରତ ଚଉଦ ମାସ ରହିଲେ। ରହଣି କାଳରେ ସେ ଦୁଇଟି ବର୍ଣ୍ଣନାତ୍ମକ ରିପୋର୍ଟ ଲେଖିଥିଲେ, ଯାହାକୁ ୧୯୦୨ ପର୍ଯ୍ୟନ୍ତ ଗୋପନୀୟ ରଖାଯାଇ ଶେଷକୁ ‘ଜର୍ଣ୍ଣି ଟୁ ଲାସା ଆଣ୍ଡ୍ ସେଣ୍ଟ୍ରାଲ୍ ତିବ୍ବେତ୍’ ନାମକ ପୁସ୍ତକ ଆକାରରେ ପ୍ରକାଶ କରାଗଲା। ସେଥିରେ ସେ ତିବ୍ବତୀୟ ସରକାରଙ୍କ ଶାସନ ବ୍ୟବସ୍ଥା, ଧର୍ମଗୁରୁ ଓ ସାମାଜିକ ଶ୍ରେଣୀ, ପ୍ରଶାସନ ଓ ଟିକସ ଆଦି କଥା ଉଲ୍ଲେଖ କରିଛନ୍ତି। ଏହାଛଡ଼ା, ବହୁ-ପତି ପ୍ରଥା, ଚା ପାନ ଆଦବକାଇଦା, ବ୍ୟଞ୍ଜନ, ପଲ୍ଲୀ ଜୀବନ ଓ ଉଦ୍ଭିଦ ଆଦି ବିଷୟରେ ମଧ୍ୟ ସେ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି। ସେ ତିବ୍ବତ ଦ୍ବାରା ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କ ଘରର ନାମ ରଖିଥିଲେ ‘ଲାସା ପାଲେସ୍’।

ବୌଦ୍ଧଭିକ୍ଷୁଙ୍କ ମୁଣ୍ଡକାଟ
ଗୁପ୍ତ କଥା ସବୁଦିନ ଗୁପ୍ତ େହାଇ ରହିପାରେ ନାହିଁ। ସେ ଯେ ବାସ୍ତବରେ ଜଣେ ବ୍ରିଟିସ୍ ଗୁପ୍ତଚର ଏବଂ ତିବ୍ବତୀୟ, ରୁଷୀୟ ଓ ଚୀନା ଜନତାଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ ସେକଥା ଚୀନ୍ ଓ ତିବ୍ବତ ସରକାରୀ କର୍ତ୍ତୃପକ୍ଷ ଜାଣିପାରିଲେ। ସାଶି ଲୁନ୍ଫୋରେ ଶରତଙ୍କୁ ବୌଦ୍ଧ ଦର୍ଶନ ଶିକ୍ଷା ଦେଇ ପ୍ରତିବଦଳରେ ତାଙ୍କଠାରୁ ବିଜ୍ଞାନ ଓ ଗଣିତ ଶିକ୍ଷା କରିଥିବା ପ୍ରଖ୍ୟାତ ବୌଦ୍ଧଭିକ୍ଷୁ ଲାମା ସେଙ୍ଗ୍ସେନ୍ ଦୋର୍ଜେଚେନ୍ଙ୍କ ମୁଣ୍ଡକାଟ କରି ସେମାନେ ନଈରେ ତାଙ୍କ ଶବ ଫିଙ୍ଗିଦେଲେ। ଜଣେ ବିଦେଶୀଙ୍କୁ ପ୍ରବେଶାନୁମତି, ଶିକ୍ଷାଦାନ ଓ ତିବ୍ବତରେ ରଖିବା ଥିଲା ତାଙ୍କର ଅପରାଧ। ଏଥିରେ ଶରତଙ୍କୁ ସହାୟତା କରିଥିବା ଅନ୍ୟମାନେ ବି ସମଦଶା ଭୋଗିଲେ କିଂବା ଜେଲ୍ ଗଲେ।

ତିବ୍ବତରେ ପଶିଲେ ବ୍ରିଟିସ୍
ଶରତଙ୍କ ବିବରଣୀ ହିଁ ବ୍ରିଟିସ୍ମାନଙ୍କ ତିବ୍ବତ ଆକ୍ରମଣ ଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲା। ୧୯୦୪ରେ କର୍ଣ୍ଣେଲ୍ ଫ୍ରାନ୍ସିସ୍ ୟଙ୍ଗ୍ହଜ୍ବ୍ୟାଣ୍ଡ୍ ତିବ୍ବତ ଆକ୍ରମଣ କଲେ। ପରାଜିତ ତିବ୍ବତ ସରକାର ବ୍ରିଟିସ୍ ସରକାରଙ୍କ ସହିତ ‘ତିବ୍ବତ ଚୁକ୍ତି’ ସ୍ବାକ୍ଷର କରିବାକୁ ବାଧ୍ୟ ହେଲେ। ଚୁକ୍ତି ଅନୁସାରେ ତିବ୍ବତରେ ବାଣିଜ୍ୟ କରିବା ଲାଗି ବ୍ରିଟେନ୍ ଅନୁମତି ପାଇଲା। କେନ୍ଦ୍ରୀୟ ଏସିଆରେ ରୁଷ୍ର ଅଗ୍ରଗତି ବି ପ୍ରତିହତ ହେଲା।

ଶରତଙ୍କୁ ବ୍ରିଟିସ୍ ସରକାରଙ୍କ ଧୋକା
ତିବ୍ବତରୁ ଫେରିବା ବେଳେ ଶରତ ସାଥିରେ ଦୁଇଟି ଚମରୀଗାଈ ପିଠିରେ ଲଦି ବହୁ ଦୁର୍ଲଭ ବହି ଓ ପାଣ୍ଡୁଲିପି ଆଦି ଆଣିଥିଲେ। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ବ୍ରିଟିସ୍ ସରକାର ଶରତଙ୍କୁ ପ୍ରତ୍ୟାଖ୍ୟାନ କଲେ। କ୍ଷୁବ୍ଧ ହୋଇ ସେ କେତେକ ଜାତୀୟତାବାଦୀ ପ୍ରକାଶନରେ ଲେଖାଲେଖି କଲେ। ତା’ ସହିତ ଅନେକ ତିବ୍ବତୀୟ ବୌଦ୍ଧଗ୍ରନ୍ଥ ଏବଂ ୧୦୦୦ ପୃଷ୍ଠାସମ୍ବଳିତ ପ୍ରସିଦ୍ଧ ତିବ୍ବତୀୟ-ଇଂରାଜୀ ଅଭିଧାନ ମଧ୍ୟ ରଚନା କଲେ। ପରିଶେଷରେ ୧୯୧୭ରେ ତାଙ୍କର ଦେହାବସାନ ଘଟିଲା।

Related Articles

Leave a Reply

Your email address will not be published. Required fields are marked *

Back to top button