ବଡ଼ ବିପର୍ଯ୍ୟୟ : ଜୋକୋଭିକ ବିଦା
ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଦୁଇଦିନରେ ଦୁଇଟି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରତିଯୋଗିତାର ଅନ୍ୟତମ ପ୍ରମୁଖ ଟ୍ରଫି ଦାବିଦାର ସ୍ପେନ୍ର କାର୍ଲୋସ୍ ଆଲକାରାଜ କୌଣସି ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରୁ ବ୍ୟକ୍ତିଗତ ଭାବେ ସଅଳତମ ବିଦାୟ ନେବାର ଗୋଟିଏ ଦିନ ପରେ ଗତଥର ବିଜେତା ତଥା ଦ୍ବିତୀୟ ସିଡ୍ ନୋଭାକ ଜୋକୋଭିକ ଅପ୍ରତ୍ୟାଶିତ ଭାବେ ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି।
ପୁରୁଷ ଏକକର ଏହି ପ୍ରତୀକ୍ଷିତ ମୁକାବିଲାରେ ତାଙ୍କୁ ୪-୬, ୪-୬, ୬-୨, ୪-୬ରେ ୨୮ତମ ସିଡ୍ ଅଷ୍ଟ୍ରେଲିଆର ଆଲେକ୍ସି ପପିରିନ୍ ପରାସ୍ତ କରି ପ୍ରତିଯୋଗିତାର ସବୁଠୁ ବଡ଼ ଓଲଟପାଲଟ କରିଛନ୍ତି। ଶକ୍ତିଶାଳୀ ସର୍ଭିସ୍ ଓ ଆକ୍ରମଣାତ୍ମକ ଖେଳ ଶୈଳୀ ପାଇଁ ପରିଚିତ ପପିରିନ୍ ପ୍ରଥମ ଦୁଇ ସେଟ୍କୁ ଜିତି ଜୋକୋଭିକଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ନିର୍ଣ୍ଣାୟକ ତୃତୀୟ ସେଟ୍ ଜିତି ଓପନ୍ ଏରାର ପ୍ରଥମ ଖେଳାଳି ଭାବେ ୨୫ ଗ୍ରାଣ୍ଡସ୍ଲାମ୍ ଜିତିବା ଲକ୍ଷ୍ୟରେ ଥିବା ଜୋକୋଭିକ ମ୍ୟାଚ୍କୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ମଧ୍ୟ ଚତୁର୍ଥ ସେଟ୍କୁ ଜିତି ପପିରିନ୍ ଚତୁର୍ଥ ରାଉଣ୍ଡ୍ରେ ପ୍ରବେଶ କରିଥିଲେ।
ଏହା ପୂର୍ବରୁ କେବଳ ୨୦୦୫ ଚଓ ୨୦୦୬ ମସିହାରେ ଜୋକୋଭିକ ୟୁଏସ୍ ଓପନର ତୃତୀୟ ରାଉଣ୍ଡ କିମ୍ବା ତା’ ପୂର୍ବରୁ ବିଦାୟ ନେଇଥିଲେ। ଏହା ପୂର୍ବରୁ ଜୋକୋଭିକ ଦଶମ ଥର ୟୁଏସ୍ ଓପନର ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ୨୦୧୧, ୨୦୧୫, ୨୦୧୮ ଓ ୨୦୨୩ରେ ବିଜେତା ହୋଇଥିଲେ। ସେହିଭଳି ୨୦୧୭ ମସିହା ପରେ ପ୍ରଥମ ଥର ପାଇଁ କୌଣସି କ୍ୟାଲେଣ୍ଡର୍ ବର୍ଷରେ ସେ ଗୋଟିଏ ହେଲେ ବି ଗ୍ରାଣ୍ଡସ୍ଲାମ୍ ଜିତି ପାରି ନାହାନ୍ତି। ନିକଟରେ ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଅନ୍ୟ କୌଣସି ବଡ଼ ପ୍ରତିଯୋଗିତାରେ ସେ ଏଭଳି ସଫଳତା ଦୋହରାଇ ପାରି ନାହାନ୍ତି। ଅନ୍ୟପକ୍ଷରେ ୨୫ ବର୍ଷୀୟ ପପିରିନ୍ ପ୍ରଥମ ଥର ଲାଗି ଏକ ଗ୍ରାଣ୍ଡସ୍ଲାମ୍ର କ୍ବାର୍ଟର ଫାଇନାଲ୍ ଖେଳିବାର ନିକଟତର ହୋଇଛନ୍ତି। ଏଥିଲାଗି କିନ୍ତୁ ଏହି ଅଷ୍ଟ୍ରେଲୀୟ ତାରକାଙ୍କୁ ଚତୁର୍ଥ ରାଉଣ୍ଡ୍ରେ ବିଶ୍ବମାନ୍ୟତାର ୨୦ତମ ସ୍ଥାନରେ ଥିବା ଫ୍ରାନ୍ସିସ୍ ଟିଏଫୋଏଙ୍କୁ ପରାସ୍ତ କରିବାକୁ ପଡ଼ିବ।
ଗଫ୍, ସାବାଲେଙ୍କା ଆଗେଇଲେ: ଆଜାରେଙ୍କା ଅଟକିଲେ ମହିଳା ଏକକ ଗତଥରର ବିଜୟିନୀ କୋକୋ ଗଫ୍ ନିଜ ବିଜୟ ଅଭିଯାନ ଜାରି ରଖିଛନ୍ତି। ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କୁ ୩-୬, ୬-୩, ୬-୩ରେ ପରାସ୍ତ କରି ଚତୁର୍ଥ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି ସେ। ଆମେରିକୀୟ ସେରେନା ୱିଲିୟମ୍ସ ୨୦୧୨ରୁ ୨୦୧୪ ମଧ୍ୟରେ ଲଗାତାର ତିନିଟି ୟୁଏସ୍ ଓପନ୍ ଟ୍ରଫି ଜିତିବା ପରଠାରୁ ପ୍ରଥମ ମହିଳା ଭାବେ ଏଠାରେ ଟ୍ରଫି ବଜାୟ ରଖିବା ଲକ୍ଷ୍ୟରେ ଥିବା ଗଫ୍ ଚତୁର୍ଥ ରାଉଣ୍ଡ୍ରେ ନିଜ ଦେଶ ଆମେରିକାର ଇମା ନାଭାରୋ କିମ୍ବା ୟୁକ୍ରେନର ମାର୍ତା କଷ୍ଟିକଙ୍କୁ ଭେଟିବେ। ଗତବର୍ଷର ଉପବିଜୟିନୀ ଆରିନା ସାବାଲେଙ୍କା ମଧ୍ୟ ୨୯ତମ ସିଡ୍ ଏକାଟେରିନା ଆଲେଜାଣ୍ଡ୍ରୋଭାଙ୍କ ଆହ୍ବାନକୁ ସଫଳତାର ସହ ପ୍ରତିହତ କରି ୨-୬, ୬-୧, ୬-୨ରେ ତୃତୀୟ ରାଉଣ୍ଡ୍ ମୁକାବିଲା ଜିତିବା ସହ ଚତୁର୍ଥ ରାଉଣ୍ଡ୍ ଟିକେଟ୍ ହାସଲ କରି ନେଇଛନ୍ତି। ସେପଟେ ଭିକ୍ଟୋରିଆ ଆଜାରେଙ୍କାଙ୍କ ୟୁଏସ୍ ଓପନ୍ ଜିତିବା ସପ୍ତଦଶ ପ୍ରୟାସ ମଧ୍ୟ ନିଷ୍ଫଳ ଯାଇଛି। ତାଙ୍କୁ ଅଣସିଡେଡ୍ ୱାଙ୍ଗ ୟାଫନ ୬-୪, ୩-୬, ୬-୧ରେ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚୀନର ଝେଙ୍ଗ କ୍ବିଏନ୍ ଜର୍ମାନୀର ଅଣସିଡେଡ୍ ଖେଳାଳି ଜୁଲେ ନିମେରିଅରଙ୍କୁ ୬-୨, ୬-୧ ସିଧାସଳଖ ସେଟ୍ରେ ପରାସ୍ତ କରି ବିଦାୟର ପଥ ଦେଖାଇ ଦେଇଛନ୍ତି।