ଦେଶ- ବିଦେଶ

ବାର୍ଡ଼ ଫ୍ଲୁ କ’ଣ ଏବଂ ଏଥିପାଇଁ କ’ଣ ପଦକ୍ଷେପ ନେବା ଉଚିତ?

ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଛି ପିପିଲି । ତେବେ ଏନେଇ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି । ଏବେ କିଛିଦିନ ଚିକେନ ନଖାଇବା ଭଲ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଭଳି ପରିସ୍ଥିରେ ଆସନ୍ତୁ ଜାଣିବା ବାର୍ଡ଼ ଫ୍ଲୁ କ’ଣ ଏବଂ ଏଥିପାଇଁ କ’ଣ ପଦକ୍ଷେପ ନେବା ଉଚିତ । ବାର୍ଡଫ୍ଲୁ ଏକ ଭୁତାଣୁଜନିତ ରୋଗ ।

ଏଥିରେ ବିଶେଷ ଭାବରେ କୁକୁଡା ଆଦି ପକ୍ଷୀମାନେ ଆକ୍ରାନ୍ତ ହୋଇଥାନ୍ତି । ବେଳେ ବେଳେ ଏଭଳି ମଧ୍ୟ ହୋଇଥାଏ କି ବାର୍ଡଫ୍ଲୁର ଭୁତାଣୁ ପକ୍ଷୀମାନଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ ।

ରୋଗାକ୍ରାନ୍ତ ପକ୍ଷୀମାନଙ୍କର ପର, ଲାଳ, ମଳ ଇତ୍ୟାଦି ମାଧ୍ୟମରେ ଏହି ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଆପଣଙ୍କ ଆଖପାଖରେ କୁକୁଡା ବା ଅନ୍ୟ ପକ୍ଷୀମାନେ ଅସ୍ୱାଭାବିକ ଭାବରେ ଅସୁସ୍ଥ ହେଲେ ବା ମରିଯାଉଥିଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଖବର ଦିଅନ୍ତୁ । କୁକୁଡା ପାଳନ କେନ୍ଦ୍ରମାନଙ୍କରେ କାମ କରୁଥିବା ବ୍ୟକ୍ତିମାନେ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରିବା ଉଚିତ୍ ଏବଂ ସର୍ବଦା ସାବୁନରେ ହାତ ଧୋଇବା ଉଚିତ୍ । କୁକୁଡା ସଂସ୍ପର୍ଶରେ ଆସି ଯଦି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ଵର, ଛିଙ୍କ, କାଶ ଲାଗି ରହେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ପ୍ରତିଦିନ କୁକୁଡା ଭାଡି ସଫା କରିବା ସହ ପକ୍ଷୀମାନଙ୍କ ଦାନା ଓ ପାଣି ପ୍ରତିଦିନ ବଦଳାନ୍ତୁ । ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେଠାରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ କୁକୁଡ଼ା ଚାଷ କରାଯିବ ନାହିଁ । ମରିଯାଉଥିବା କାଉ, କୁକୁଡା ଏଣେ ତେଣେ ନ ଫିଙ୍ଗି ମଲା ପକ୍ଷୀକୁ ପୋଡି ଦିଅନ୍ତୁ କିମ୍ବା ପୋତି ଦିଅନ୍ତୁ ଓ ଉକ୍ତ ସ୍ଥାନରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରନ୍ତୁ । ଏହା କଲା ବେଳେ ପକ୍ଷୀକୁ ଖାଲି ହାତରେ ନ ଧରି, ହାତରେ ଗ୍ଲୋବ୍ସ ଏବଂ ମୁହଁରେ ମୁଖା ପିନ୍ଧନ୍ତୁ । କୁକୁଡା ପର, ଲାଳ ଓ ମଳକୁ ଛୁଇଁବା ପରେ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ ।

ସଂକ୍ରମିତ ଅଞ୍ଚଳରୁ ବାହାରକୁ କୁକୁଡା, ବତକ, ଅଣ୍ଡା, କୁକୁଡା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ନିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ । ତେବେ ଏହି ବାର୍ଡ଼ଫ୍ଲୁକୁ ନେଇ ସ୍ୱତନ୍ତ୍ର ତ୍ୱରିତ ଚିକିତ୍ସାକାରୀ ଦଳ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅଛନ୍ତି । ସେପଟେ ଏହି ରୋଗ ମଣିଷକୁ କିପରି ସଂକ୍ରମିତ ନହେବ ସେଥିପାଇଁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି । ସୂଚନାଯୋଗ୍ୟ, ବାର୍ଡଫ୍ଲୁ ଜନିତ ରୋଗ ସଂପର୍କରେ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ । ସବିଶେଷ ତଥ୍ୟ ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button