ରାଜ୍ୟ

ହସ୍ତକଳାର ପରମ୍ପରା ସହ ବୃତ୍ତି ବଞ୍ଚୁ, ପ୍ରତିଷ୍ଠା ହେଉ ‘ମାଟିକଳା ପରିଷଦ’

ଭୁବନେଶ୍ୱର, ୨୧।୮: ରାଜ୍ୟରେ ଅନେକ ହସ୍ତକଳା ପରମ୍ପରା ଆଜି ଲୁପ୍ତପ୍ରାୟ । ଯାହାର ପରମ୍ପରା ସହ ଉକ୍ତ କଳାରେ ଜଡ଼ିତ ବୃତ୍ତି ବି ବଞ୍ଚିବା ଜରୁରି । କାରଣ କୌଳିକ ବୃତ୍ତି ବଞ୍ଚିଲେ କଳା ବଞ୍ଚିବ । ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ଚିନ୍ତା ପ୍ରକଟ କରିଛି । ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହ ଓଡ଼ିଶା ସରକାରଙ୍କୁ କିଛି ପ୍ରସ୍ତାବ ଦେଇଛି ।

ରାଜ୍ୟରେ ଏକ ‘ମାଟିକଳା ପରିଷଦ’ ଗଠନ କରି କଳାର, ସୁରକ୍ଷା ଓ ସଂରକ୍ଷଣ ଦିଗରେ ବେଶ୍ ଯତ୍ନବାନ ହେବାକୁ ପରାମର୍ଶ ଦେଇଛି । କଳାର ରାଜ୍ୟ ଉତ୍କଳ । ଏଠି ପ୍ରତି ଜିଲ୍ଲାର ସୀମା ଡେଇଁଲେ ଯେମିତି ଭାଷା, ସଂସ୍କୃତିରେ ପରିବର୍ତ୍ତନ ମିଳେ ସେମିତି କଳାରେ । ରାଜ୍ୟରେ ଅନେକ ପ୍ରକାରର ହସ୍ତକଳା ରହିଛି । ତାହା ପୁଣି ଅତି ସୂକ୍ଷ୍ମରୁ ସୂକ୍ଷ୍ମ । ସବୁ ବିଶ୍ୱବିଦିତ ଏବଂ ପ୍ରସିଦ୍ଧ । ସମଗ୍ର ପୃଥିବୀରେ ଏହାର ଚାହିଦା ଆକାଶ ଛୁଆଁ । ଏସବୁର ବିକାଶ ପାଇଁ ସରକାରଙ୍କୁ ଯତ୍ନବାନ ହେବାକୁ ପଡ଼ିବ । ଏହା ହିଁ ଆମ ପରିଚୟ ଓ ମୂଲ୍ୟବାନ ସମ୍ପଦ ।

ବିଶେଷକରି ମାଟିକଳା ଅତି ପ୍ରାଚୀନ ଓ ପାରମ୍ପରିକ ହସ୍ତକଳା । ରାଜ୍ୟରେ ଏହାକୁ ବୃତ୍ତି କରି ବଞ୍ଚୁଥିବା ପାଖାପାଖି ୪୦ ହଜାର ଟେରାକୋଟା ଶିଳ୍ପୀ ରହିଛନ୍ତି । ସେମାନଙ୍କ ଉନ୍ନତି ପାଇଁ ରାଜ୍ୟରେ ‘ରାଜ୍ୟ ମାଟିକଳା ପରିଷଦ’ ପରି ଏକ ସ୍ୱତନ୍ତ୍ର ସଂଗଠନ କାର୍ଯ୍ୟ କରିବା ଦରକାର ବୋଲି ଷ୍ଟାଣ୍ଡିଂ କମିଟି କହିଛି । ଯେମିତି ଉତ୍ତର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ହରିଆଣାରେ ‘ମାଟିକଳା ପରିଷଦ’ ରହିଛି ସେମିତି ଓଡ଼ିଶାରେ ବି ଏହାର ବହୁତ ଆବଶ୍ୟକତା ରହିଛି । ଏହାଛଡ଼ା ଟେରାକୋଟା ଶିଳ୍ପୀମାନଙ୍କର ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସ୍ୱଚ୍ଛଳତା କ୍ଷେତ୍ରରେ ବି କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାଯାଇନି । ଏହାକୁ ଗୁରୁତର ସହ ନେଇ ଷ୍ଟାଣ୍ଡିଂ କମିଟି ‘ମାଟିକଳା ପରିଷଦ’ ପ୍ରତିଷ୍ଠାକୁ ଜୋର୍ ଦେଇଛି । ପାରମ୍ପରିକ କଳା ଏବଂ ଶିଳ୍ପୀମାନଙ୍କ ସୁରକ୍ଷା ଓ ପୃଷ୍ଠପୋଷକତା ଯୋଗାଇ ଦେବା ପାଇଁ ଷ୍ଟାଣ୍ଡିଂ କମିଟି ପ୍ରସ୍ତାବ ଦେଇଛି ।

ରାଜ୍ୟରେ ମୃତ୍ତିକା କଳା ଓ ଏହା ସହ ଜଡ଼ିତ ସମସ୍ତ ହସ୍ତକଳା ଉପାଦାନର ବ୍ୟବସ୍ଥା ସାଙ୍ଗକୁ ଉନ୍ନତୀକରଣ ପାଇଁ କମିଟି ପରାମର୍ଶ ଦେଇଛି । ଏହି ଶିଳ୍ପକଳା ସହ ଜଡ଼ିତ ଗୋଷ୍ଠୀ ବି ବହୁତ ପ୍ରାଚୀନ । ସେମାନେ ପିଢ଼ି ପରେ ପିଢ଼ି ପାରମ୍ପରିକ ଭାବେ ମାଟିକଳାରେ ବିଭିନ୍ନ କଳାକୃତି ଗଢ଼ି ଆସୁଛନ୍ତି । ସେମାନଙ୍କୁ ବହୁଳ ମାତ୍ରାରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ସହ ସେମାନଙ୍କ କାମକୁ ପ୍ରଚାର, ପ୍ରସାର କରି ଲୋକାଭିମୁଖୀ କରିବାର ରହିଛି ବୋଲି ଷ୍ଟାଣ୍ଡିଂ କମିଟି କହିଛି । ଷ୍ଟାଣ୍ଡିଂ କମିଟି ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ୍ର ୧୮ଟି ଗଦି ବୁଲି ସ୍ଥାନୀୟ ସମସ୍ୟା ବୁଝିବା ସହ ନୀରିକ୍ଷଣ କରିଛି । ଏହି ଜିଲ୍ଲାରେ କୁମ୍ଭାର ସମ୍ପ୍ରଦାୟ ବିଭିନ୍ନ କ୍ଲଷ୍ଟର୍ କରି ବହୁ ବର୍ଷ ଧରି ଏହି ମାଟି କାମ କରି ଆସୁଛନ୍ତି । ତେଣୁ ସହଜ ହେବ ସେମାନଙ୍କ ମାଧ୍ୟମରେ ଉକ୍ତ କଳାର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ବଞ୍ଚାଇ ରଖିବା ଏବଂ ସେମାନଙ୍କୁ ସାମାଜିକ, ଆର୍ଥିକ ସୁରକ୍ଷା ଦେଇ ସମୃଦ୍ଧ କରିବା । ଏ ଦିଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଗୁରୁତ୍ୱ ଦେଉ ଏବଂ ନଜର ରଖୁ । ସେମାନଙ୍କ ବୃତ୍ତିକୁ ସୁବିଧା, ସୁଯୋଗ ଏବଂ ସହଯୋଗ ଯୋଗାଇ ଦିଆଯାଉ । ଉତ୍ପାଦିତ ସାମଗ୍ରୀର ଉଚିତ ବିକ୍ରିବଟା ପାଇଁ ବଜାର ସୁବିଧା ସୃଷ୍ଟି କରାଯାଉ । ଶିଳ୍ପ କଳାକୁ ନେଇ ଉଦ୍ୟୋଗ ଗଢ଼ି ତୋଳିବା ପାଇଁ ବିକାଶମୂଳକ ଯୋଜନା କରାଯାଉ ବୋଲି ଷ୍ଟାଣ୍ଡିଂ କମିଟି କହିଛି ।

ଏ କ୍ଷେତ୍ରରେ ଥିବା ପ୍ରତିଭାବାନ ଶିଳ୍ପୀମାନଙ୍କୁ ଖୋଜି ସେମାନଙ୍କୁ ଅତ୍ୟାଧୁନିକ ଶୈଳୀରେ ଦକ୍ଷତାର ବିକାଶ କରାଯାଉ । ବୈଷୟିକ ଜ୍ଞାନ କୌଶଳ ଆହରଣ ପାଇଁ ତାଲିମ୍ ଦେଇ ନୂଆ ନୂଆ ଡିଜାଇନ୍କୁ ପାରମ୍ପରିକ ଶୈଳୀରେ ନିର୍ମାଣ ପାଇଁ ପ୍ରୋତ୍ସାହିତ କରାଯାଉ । ଏ କଳାକୁ ଆଗକୁ ନେବାକୁ ନୂଆପିଢ଼ିଙ୍କୁ ସୁଯୋଗ ଦିଆଯାଉ । ଆବଶ୍ୟକସ୍ଥଳରେ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପୀମାନଙ୍କୁ ବାହାରକୁ ପଠାଯାଉ ଏବଂ ବାହାର ଶିଳ୍ପୀଙ୍କୁ ଅଣାଯାଇ ଜ୍ଞାନ ଓ ଅଭିଜ୍ଞତାକୁ ବଣ୍ଟାଯାଉ । ହସ୍ତକଳା କ୍ଷେତ୍ରରେ ନୂଆ କଥା ଶିଖିବା ଏବଂ କାମରେ ଲଗାଇବା ଲାଗି ସର୍ବଦା ଉତ୍ସାହିତ କରାଯାଉ । ଶିଳ୍ପୀମାନେ ତାକୁ କିପରି ଆୟତ୍ତ କରିପାରିବେ ସେଥିଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଉ ବୋଲି ଷ୍ଟାଣ୍ଡିଂ କମିଟି ପ୍ରସ୍ତାବ ଓ ପରାମର୍ଶ ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button