ରାଜ୍ୟ

ଅସୁସ୍ଥ ହାତୀଙ୍କ କବରଖାନା ‘ସାତକୋଶିଆ’: ୬ ମାସରେ ଆଖି ବୁଜିଲେଣି ୪

ନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ହାତୀବଂଶ ଅସୁରକ୍ଷିତ ହୋଇପଡ଼ିଛି। ଗତବର୍ଷ ସେପ୍ଟେମ୍ବର ମାସରେ ପମ୍ପାସର ବନାଞ୍ଚଳ ତରଭା ନିକଟରେ ଶିକାରୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତୀ ଟଳି ପଡ଼ିଥିଲେ। ଏହି ଘଟଣାପରେ ହାତୀମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବନବିଭାଗ ତତ୍ପର ହେବା ନେଇ ପରିବେଶପ୍ରେମୀମାନେ ଆଶା ରଖିଥିଲେ।

କିନ୍ତୁ ପୂର୍ବଭଳି ସାତକୋଶିଆ ଅଭୟାରଣ୍ୟରେ ହାତୀମୃତ୍ୟୁ ଘଟଣା ଥମିବାର ନାଁ ନେଉନି। ଅଭୟାରଣ୍ୟରେ ଅସୁସ୍ଥ ହାତୀମାନଙ୍କ ମୃତ୍ୟୁ ହେବାରେ ଲାଗିଛି। ୬ ମାସ ମଧ୍ୟରେ ୪ ହାତୀ ଅସୁସ୍ଥତା କାରଣରୁ ମରିଥିବାବେଳେ ଏହି ଅଭୟ‌ାରଣ୍ୟ ଏବେ ଅସୁସ୍ଥ ହାତୀଙ୍କ ପାଇଁ କବରଖାନା ପାଲଟିଥିବା ଅଭିଯୋଗ ହୋଇଛି।

ସାତକୋଶିଆ ଅଭୟାରଣ୍ୟ ବନ୍ୟଜନ୍ତୁଙ୍କ ପାଇଁ ସୁରକ୍ଷିତ ସ୍ଥାନ ଭାବରେ ପରିଚିତ। ଏଠାରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୪ଟି ବନାଞ୍ଚଳ ରହିଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର, ରାଇଗୁଡ଼ା, ପୁରୁଣା‌କୋଟ ଓ ଟିକରପଡ଼ା ବନାଞ୍ଚଳରେ ଗଣ୍ଡା ଗଣ୍ଡା ବନ କର୍ମଚାରୀମାନେ ନି‌ୟୋଜିତ ହୋଇଛନ୍ତି। ଏହାସତ୍ତ୍ବେ ହାତୀମାନଙ୍କ ମୃତ୍ୟୁ ଏଠାରେ ଚିନ୍ତାଜନକ ସ୍ଥିତିରେ। ଗତ ମାର୍ଚ୍ଚଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬ ମାସରେ ୪ଟି ହାତୀଙ୍କ ଜୀବନ ଗଲାଣି। ଆଉ ଏହି ସମସ୍ତ ହାତୀ ଅସୁସ୍ଥ ହୋଇ ପ୍ରାଣ ହରାଇଥିବା ସାତକୋଶିଆ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଗତ ମାର୍ଚ୍ଚ ୨୮ ତାରିଖରେ ପୁରୁଣାକୋଟ ବନାଞ୍ଚଳରେ କାଦୁଅରେ ଫସି ଏକ ୬ ବର୍ଷର ହାତୀଛୁଆର ଜୀବନ ଯାଇଥିଲା। ସେହିପରି ଏପ୍ରିଲ୍‌ ୨୬ ତାରିଖରେ ପୁରୁଣାକୋଟ ବନାଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ଜୁନ୍ ପହିଲାରେ ପୁରୁଣାକୋଟ ବନାଞ୍ଚଳର ସିଆରିଭୁଣ୍ଡି ନିକଟରେ ଥିବା ଜଳାଶୟ ପାଖରୁ ଏକ ୨୫ ବର୍ଷୀୟା ମାଈହାତୀର ମୃତଦେହ ଠାବ ହୋଇଥିଲା।

ଅନ୍ୟପକ୍ଷରେ ଗତ ଗୁରୁବାର ଦିନ ରାଇଗୁଡ଼ା ବନାଞ୍ଚଳରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି। ପାଟ୍ରୋଲିଂ ବେଳେ ବନ କର୍ମଚାରୀମାନେ ଏକ ନାଳ ନିକଟରୁ ଉକ୍ତ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଥିଲେ। ହାତୀର ବୟସ ୧୫ ବର୍ଷ ହୋଇଥିବା‌ ଓ ଦୁର୍ବଳ ଥିବାରୁ ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗତ ୬ ମାସରେ ମୃତ ୪ ହାତୀ ଅସୁସ୍ଥତା ଥିବା କଥା ନିଜେ ସାତକୋଶିଆ କର୍ତ୍ତୃପକ୍ଷ ମାନୁଛନ୍ତି। ହେଲେ ସେମାନଙ୍କୁ ଠାବ କରାଯାଇ କାହିଁକି ଚିକିତ୍ସା କରାଯାଇ ନଥିଲା ସେନେଇ ପରିବେଶପ୍ରେମୀ ପ୍ରଶ୍ନ କରିଛନ୍ତି। କେବଳ ସାତକୋଶିଆ କାହିଁକି ଅନୁଗୁଳ ବନାଞ୍ଚଳରେ ମଧ୍ୟ ହାତୀମୃତ୍ୟୁ ଉପରେ ରୋକ୍ ଲାଗିପାରୁ ନାହିଁ। ବନ୍ତଳା ବନାଞ୍ଚଳରେ ଗତ ଏପ୍ରିଲ୍‌ ମାସରେ ବଡ଼ହିଂସ ଗାଁରେ ବିଦ୍ୟୁତ୍ କରେଣ୍ଟ ଦେଇ ଗୋଟିଏ ଦନ୍ତା ହାତୀକୁ ହତ୍ୟା କରାଯାଇଥିବା ବେଳେ ତା’ର ମାସକ ପରେ ପୁଣି କନ୍ତମେଘ ଗାଁରେ ବିଦ୍ୟୁତ୍ ଆଘାତରେ ଆଉ ଗୋଟିଏ ଦନ୍ତା ଟଳିପଡ଼ିଥିଲା। ସେହିପରି ଅନୁଗୁଳ ବନାଞ୍ଚଳ ଶାଳଝାର ସଂରକ୍ଷିତ ଜଙ୍ଗଲ ଓ ଜରପଡ଼ା ବନାଞ୍ଚଳରୁ ମଧ୍ୟ ହାତୀ କଙ୍କାଳ ମିଳିଥିଲା। ଅନୁଗୁଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ହାତୀପ୍ରବଣ ଅଞ୍ଚଳ ହୋଇଥିଲାବେ‌ଳେ ହାତୀମୃତ୍ୟୁ ସୀମା ଲଂଘିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ହାତୀଙ୍କ ସୁରକ୍ଷା ନେଇ ବନ ବିଭାଗ ଓ ରାଜ୍ୟ ସରକାର ଠୋସ୍‌ ପଦକ୍ଷେପ ନନେଲେ ମହାବଳ ବାଘଶୂନ୍ୟ ହୋଇଥିବା ସାତକୋଶିଆ ହାତୀଶୂନ୍ୟ ହୋଇଯିବ ବୋଲି ପଶୁପ୍ରେମୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button