ଜିଦ୍ ରେ ଅଟଳ ଘରୋଇ ବସ୍ ସଂଘ, ବାରିପଦାରେ ୧୪ଟି ସରକାରୀ ବସ୍ ଗଡ଼ାଇଲା ପ୍ରଶାସନ – Kalinga News
[ad_1]
ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣା ପରେ ଦ୍ବିତୀୟ ଦିନରେ ମଧ୍ୟ ଘରୋଇ ବସ୍ ଚଳାଚଳ ବନ୍ଦ । ତେବେ ୧୪ଟି ସରକାରୀ ବସ୍ ଗଡ଼ାଇଲା ପ୍ରଶାସନ। ବାରିପଦା ଠାରୁ ବାଲେଶ୍ଵର, ରାଇରାଙ୍ଗପୁର, କରଞ୍ଜିଆ ଓ ଉଦଳା ଆଦି ଅଞ୍ଚଳକୁ ବସ୍ ଚଳାଚଳ କରୁଥିବା କହିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ । ସମସ୍ତ ବସ ଷ୍ଟପେଜରେ ପୋଲିସ ମୁତୟନ କରାଯାଇଛି । ଶୁକ୍ରବାର ବସଷ୍ଟାଣ୍ଡରେ ଏକ ଘରୋଇ ବସ୍ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା । ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଏହାର ପ୍ରତିବାଦରେ ବାରିପଦା ସହରରୁ ବସ ଚଳାଚଳ ବନ୍ଦ କରିଛି ବସ୍ ମାଲିକ ସଂଘ । ଘଟଣାର ତଦନ୍ତ କରି ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ଅନ୍ୟ ଗୋଷ୍ଠୀକୁ ମାରଣାସ୍ତ୍ର ଧରି ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣରେ ୭ ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଉକ୍ତ ବସଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା । ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଁଚିବା ପରେ ବସ ମାଲିକ ସଂଘ ଓ ବସ ମାଲିକଙ୍କ ଚଳାଚଳ ସମୟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହାପରେ କିଛି ଗୁଣ୍ଡା ପ୍ରବୃତ୍ତି ଦୁର୍ବୁତ୍ତ ମାନେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ବସ ମାଲିକ ମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଯେଉଁଥିରେ କି ୬ଜଣରୁ ଉର୍ଦ୍ଧ୍ବ ବସ ମାଲିକ ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
The post ଜିଦ୍ ରେ ଅଟଳ ଘରୋଇ ବସ୍ ସଂଘ, ବାରିପଦାରେ ୧୪ଟି ସରକାରୀ ବସ୍ ଗଡ଼ାଇଲା ପ୍ରଶାସନ appeared first on KNews Odisha.
[ad_2]