ମନୋରଞ୍ଜନ

ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ଆରମ୍ଭ; କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼ – Kalinga News

[ad_1]

ଭୁବନେଶ୍ୱର: ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଶୁକ୍ରବାର ଦିନ ଆରମ୍ଭ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ ପୂର୍ବାହ୍ନରୁ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଉତ୍ସବର ବିଶେଷ ଉଦଘାଟନୀ କାର୍ଯ୍ୟକ୍ରମ କରାଯାଇଥିଲା। ‘‘ମଣିଷ ଜୀବନର ଏକ ବଡ଼ ଆଧାର ହେଉଛି ଆମ ସଂସ୍କୃତି। ସିନେମା ହେଉଛି ଆମ ସଂସ୍କୃତି ଏବଂ ସମୟର ଏକ ଶକ୍ତିଶାଳୀ ପ୍ରତିଫଳନ। ସଂସ୍କୃତିର ପ୍ରସାର ପାଇଁ ସିନେମା ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ତେଣୁ ଚଳଚ୍ଚିତ୍ର ନିର୍ମାଣ ବେଳେ ଆମକୁ ବ୍ୟବସାୟ ସହିତ ସଂସ୍କୃତି ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ’’, ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ବଲିଉଡର ପରିଚିତ ନିର୍ଦ୍ଦେଶକ କେତନ ମେହଟ୍ଟା।

ସେହିପରି ଜଣାଶୁଣା ଅଭିନେତା ତଥା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ କହିଥିଲେ ଯେ, ‘‘ଦର୍ଶକମାନେ ପ୍ରେକ୍ଷାଳୟକୁ ଆସି ସିନେମା ଦେଖିଲେ ହିଁ ଆମ ଚଳଚ୍ଚିତ୍ରର ବିକାଶ ହୋଇପାରିବ। ଏହା ନିର୍ମାତା ଓ କଳାକାରମାନଙ୍କୁ ଭଲ କାମ କରିବା ପାଇଁ ପ୍ରେରଣା ଦେବା ସହ ଚଳଚ୍ଚିତ୍ର ଶିଳ୍ପକୁ ପୁଣିଥରେ ସଶକ୍ତ କରିପାରିବ।’’ ଭୁବନେଶ୍ୱର ଫିଲ୍ମ ସର୍କଲ ବ୍ୟାନରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଲିଉଡର ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଦୀପା ସାହି, ଓଡ଼ିଆ ଚଳଚ୍ଚିତ୍ରର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏବଂ ପ୍ରସିଦ୍ଧ ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର୍ ଯୋଗଦେଇ ଚଳଚ୍ଚିତ୍ର ଜଗତର ବିଶେଷତ୍ୱ ଓ ବିଭିନ୍ନ ଆହ୍ୱାନ ସମ୍ପର୍କରେ କହିଥିଲେ। ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ଭଳି କାର୍ଯ୍ୟକ୍ରମ ଚଳଚ୍ଚିତ୍ର ନିର୍ମାତା ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହ ଆଜିର ସିନେମାକୁ ଦର୍ଶକମାନଙ୍କ ସହ ଯୋଡ଼ିବାରେ ବିଶେଷ ସାହାଯ୍ୟ କରିବ ବୋଲି କହିଥିଲେ।

ଏହି ଅବସରରେ ଓଡ଼ିଆ ସିନେମାର ନଅ ଦଶନ୍ଧିର ଯାତ୍ରାକୁ ନେଇ ପ୍ରସ୍ତୁତ ଏକ ଗବେଷଣାମୂଳକ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବିଶେଷ ଅବଦାନ ପାଇଁ ପ୍ରମୁଖ ବ୍ୟକ୍ତି ବିଶେଷମାନଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଅଭିନେତ୍ରୀ ନମ୍ରତା ଦାସ, ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ, ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସିର, ଗୀତିକାର ସଚ୍ଚି ମହାନ୍ତି ଏବଂ ବରିଷ୍ଠ ମେକଅପ୍ ଆର୍ଟିଷ୍ଟ ସମରେଶ ପାଲ। ସେହିପରି ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅମିତ ରାଏଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ର ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବର ଆବାହକ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବର ଆଭିମୁଖ୍ୟ ଏବଂ ପ୍ରସ୍ତୁତି ସମ୍ପର୍କରେ ସେ ଉପସ୍ଥାପନ କରିଥିଲେ। ଏହି ଉତ୍ସବର ଅନ୍ୟତମ ଆୟୋଜକ ତଥା ଅଭିନେତା ସୁକାନ୍ତ ରଥ ଏବଂ ଅଭିନେତ୍ରୀ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ ବଲିଉଡର ବିଶିଷ୍ଟ ସାଉଣ୍ଡ ଡିଜାଇନର ତଥା ଉତ୍ସବର ସହ-ଆବାହକ ସୁବାସ ସାହୁ ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଚଳଚ୍ଚିତ୍ର ଉତ୍ସବର ପ୍ରଥମ ଦିନର ପ୍ରଥମ ସୋ’ରେ ନୀରଦ ମହାପାତ୍ରଙ୍କ ‘ମାୟା ମିରିଗ’ ପ୍ରଦର୍ଶିତ ହୋଇଥିଲା। ପରେ ପରେ ପାର୍ବତୀ ଘୋଷଙ୍କ ‘ଛ’ ମାଣ ଆଠ ଗୁଣ୍ଠ, ମନମୋହନ ମହାପାତ୍ରଙ୍କ ‘ଭିଜାମାଟିର ସ୍ୱର୍ଗ’, ସମ୍ବିତ ମହାନ୍ତିଙ୍କ ‘ହାଲୋ ଆର୍ସି’ ଏବଂ ଫିଲ୍ମସ୍ ଡିଭିଜନ ପ୍ରସ୍ତୁତ ‘ରିମେମ୍ବରିଂ ପ୍ରମୋଦ ପତି’ ସିନେମାଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। ଏହିସବୁ ଓଡ଼ିଆ କ୍ଲାସିକ୍ ସିନେମା ଦେଖିବା ପାଇଁ ଜୟଦେବ ଭବନ ପ୍ରେକ୍ଷାଳୟ ପୂରି ଉଠିଥିଲା। ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବରିଷ୍ଠ ସିନେ ସାମ୍ବାଦିକ ତଥା ଉତ୍ସବର ଅନ୍ୟତମ ଆୟୋଜକ ଅଶୋକ ପାଲିତ। ଉତ୍ସବ ମଞ୍ଚରେ ବିଭିନ୍ନ ଚଳଚ୍ଚିତ୍ର ନିର୍ମାତା ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଚଳଚ୍ଚିତ୍ର ଉତ୍ସବ ରବିବାର ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ପ୍ରତିଦିନ ସକାଳ ୯ଟା ୩୦ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜୟଦେବ ଭବନ ପ୍ରେକ୍ଷାଳୟରେ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ କରାଯିବ। ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button