ମନୋରଞ୍ଜନ

ତିନି ଅନିଶାଙ୍କ କଥା – Kalinga News

[ad_1]

ଶିବଶଙ୍କର ଓଝା

ଓଡ଼ିଆ ସିନେଜଗତରେ ‘ଅନିଶା’ ନାଆଁରେ ଏବେ ଦୁଇଜଣ ନାୟିକାଙ୍କୁ ଦର୍ଶକ ପରଦାରେ ଦେଖିବାକୁ ପାଉଛନ୍ତି। ଉଭୟଙ୍କ ଭିତରୁ ଜଣେ ବେଶ୍ ଲୋକପ୍ରିୟ ଓ ଆରଜଣକ ନବଗତା। ଜଣେ ସୋନପୁରର ଝିଅ ଏବଂ ଅନ୍ୟ ଜଣେ ସୁନ୍ଦରଗଡ଼ର ବାସିନ୍ଦା। ହେଲେ ଆଗରୁ ଏହି ନାଆଁରେ ଜଣେ ନାୟିକା ବିଗତ ଶତାବ୍ଦୀର ଶେଷ ଦଶନ୍ଧିରେ ବେଶ୍ ଲୋକପ୍ରିୟ ଥିଲେ ଓଲିଉଡ୍‌ରେ।

ନାୟିକାର ନାଁ ଅନିଶା। ଉଭୟ ବଡ଼ ଓ ଛୋଟ ପରଦାର ଚର୍ଚ୍ଚିତ ଚେହେରା ଅନିଶା ଦାଶ। ତାଙ୍କୁ ଦର୍ଶକ ମେଗା ଧାରାବାହିକ ‘ସ୍ୱାଭିମାନ’ରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ଏହା ଅନିଶାଙ୍କୁ ବେଶ୍ ସଫଳତା ଦେଇଥିଲା। ଏହି ମେଗା ଧାରାବାହିକରେ ତାଙ୍କ ବିପକ୍ଷରେ ନାୟକ ସାଜିଥିବା ଅଭିନେତା ଶୁଭାଶିଷ ଶର୍ମା ଓରଫ ମଣ୍ଟୁଙ୍କୁ ଅନିଶା ଜୀବନସାଥୀ ରୂପେ ବରଣ କରିଥିଲେ । ଏହାଛଡ଼ା ସେ ମେଗା ଧାରାବାହିକ ‘ଆଇନା’ ଓ ‘ସିଷ୍ଟର୍‌ ଶ୍ରୀଦେବୀ’ରେ ବି ନଜର ଆସିଥିଲେ। ୨୦୧୫ରେ ରିଲିଜ୍ ହୋଇଥିବା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଲଭ୍‌ ୟୁ ହମେଶା’ ଥିଲା ଅନିଶାଙ୍କର ପ୍ରଥମ ସିନେମା। ଏଥିରେ ଅରିନ୍ଦମଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏହାପରେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘କାବୁଲା ବାରବୁଲା’, ପୃଥ୍ବୀରାଜ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତାଣ୍ଡବ’, ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ସାଥୀ ତୁ ଫେରିଆ’ ଏବଂ ତାପସ ସରଘରିଆଙ୍କ ନିର୍ଦେଶିତ ‘ଓନ୍‌ଲି ପ୍ୟାର୍’ ଭଳି ସିନେମାରେ ଅନିଶାଙ୍କୁ ଦେଖିବାକୁ ମିଳିଛି ଓ ଜାରି ରହିଛି ତାଙ୍କର ଅଭିନୟ ଯାତ୍ରା।

ଉଭୟେ ଉଭୟଙ୍କ ପାଇଁ ଅଚିହ୍ନା
ଉଭୟ ଅନିଶା ଦାଶ ଓ ଅନିଶା ପଟେଲ୍ କେହି କାହାରିକୁ ଜାଣନ୍ତି ନାହିଁ। ଅନିଶା ପଟେଲ୍ କହିଛନ୍ତି, ‘‘ପରଦାରେ ଅନିଶା ଦାଶଙ୍କ ଅଭିନୟ ଦେଖିଛି। ସେ ମତେ ଭଲ ଲାଗନ୍ତି, ହେଲେ ବ୍ୟକ୍ତିଗତ ଭାବେ ତାଙ୍କୁ ଜାଣିନି।’’ ଠିକ୍ ସେହିପରି ଅନିଶା ଦାଶ କହନ୍ତି, ‘‘ମୋ ନାଆଁରେ ଆଉ ଜଣେ ନାୟିକା ଥିବା ଜାଣି ଖୁସି ଲାଗିଲା, ହେଲେ ତାଙ୍କ ସହ ଏଯାଏ ପରିଚୟ ହୋଇନାହିଁ।’’

ଏଣେ ଅନିଶା ନାଆଁରେ ଯେଉଁ ନବାଗତା ଓଲିଉଡ୍‌ରେ ପ୍ରବେଶ କରିଛନ୍ତି, ସେ ହେଲେ ଅନିଶା ପଟେଲ୍। ସେ ‘ସଲାମ୍ ଭୁବନେଶ୍ବର’ ଶୀର୍ଷକରେ ନିର୍ମିତ ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମାରେ ପ୍ରଥମ ଥର ଲାଗି ରାଜବୀରଙ୍କ ସହ ନଜର ଆସିବେ ଅନିଶା। ‘ସଲାମ୍ ଭୁବନେଶ୍ବର’ର ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ। ଏହାର ସଂଳାପ ଲେଖିଛନ୍ତି ଡକ୍ଟର ରଜନୀରଂଜନ। ଅଭିଜିତ୍ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ। ଆଇଜ୍ ଓ ଏସ୍ ପିକ୍‌ଚର୍ସ ନିବେଦିତ ଏବଂ ପ୍ରସନ୍ନ ଦ୍ବିବେଦୀ ଓ ସୁଧାକର ବସନ୍ତଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ସଲାମ୍ ଭୁବନେଶ୍ବର’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ।
ଅନିଶା ପଟେଲ୍‌ ‘ଓଡ଼ିଶା କୁଇନ୍’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟରେ ହିଁ ‘ସଲାମ୍ ଭୁବନେଶ୍ବର’ରେ ନାୟିକା ଭୂମିକା ଲାଗି ଅଫର୍ ପାଇଥିଲେ। ପ୍ରଯୋଜକ ରମେଶ ବାରିକଙ୍କ ଜରିଆରେ ତାଙ୍କୁ ଏହି ସୁଯୋଗ ମିଳିଥିଲା ବୋଲି କହନ୍ତି ଅନିଶା। ପରେ ନିର୍ଦ୍ଦେଶକ ସୁଧାକର ବସନ୍ତ ତାଙ୍କର ସ୍କ୍ରିନ୍‌ଟେଷ୍ଟ୍‌ ନେଇଥିଲେ ଏବଂ ତାଙ୍କୁ ମନୋନୀତ କରିଥିଲେ।

ସୁନ୍ଦରଗଡ଼ ସହର ନିକଟସ୍ଥ ଫୁଲଧୁଡ଼ିରେ ତାଙ୍କର ଘର। ମଡେଲିଂରେ ରୁଚି ରଖିଥିବା ଅନିଶା ରାଉରକେଲାର ସୁଶୀଳାବତୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ସେ କହନ୍ତି, ‘‘ମୋତେ ‘ସଲାମ୍ ଭୁବନେଶ୍ବର’ ପରେ ଅନ୍ୟ ଓଡ଼ିଆ ସିନେମା ଲାଗି ଅଫର୍ ମିଳିଥିଲେ ବି ମୁଁ ଗ୍ରହଣ କରିନାହିଁ। କାରଣ ପ୍ରଥମ ଛବି ରିଲିଜ୍ ହେବା ପରେ ଅନ୍ୟ ସିନେମା ସାଇନ୍ କରିବାକୁ ଚାହେଁ।’’ ବିଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଓଲିଉଡ୍‌ରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ଅନିଶା ଦାସ। ତେବେ ଇଣ୍ଡଷ୍ଟ୍ରିରେ ସେ ‘ଲିଜା’ ନାଆଁରେ ଅଧିକ ପରିଚିତ ଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଅବତାର ସିଂହଙ୍କ ନିର୍ଦ୍ଦେଶିତ ‘ବସୁଧା’। ଏଥିରେ ମିହିର ଦାସଙ୍କ ବିପକ୍ଷରେ ନାୟିକା ବନିଥିଲେ ଅନିଶା। ଏହାପରେ ତାଙ୍କୁ ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ସାବିତ୍ରୀ’, ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ସୁନା ସଂସାର’, ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍ମୀପ୍ରତିମା’ ଓ ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘ମଣି ନାଗେଶ୍ବରୀ’ ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ହାତଗଣତି ସିନେମାରେ ନାୟିକା ସାଜିବା ପରେ ଅନିଶା ଦାସ ଓଲିଉଡ୍‌ରୁ ଅବ୍ୟାହତି ନେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button