ଅଙ୍କ ବିଗାଡ଼ିବ ମୂର୍ତ୍ତି ଗଣିତ: ନବ-କିଶୋର ବିବାଦ ଏବେ ବି ବଞ୍ଚିଛି – Kalinga News

[ad_1]
ଝାରସୁଗୁଡ଼ା: ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ ଝାରସୁଗୁଡ଼ା ରାଜନୀତିରେ ଆରମ୍ଭ ହୋଇଥିବା ପ୍ରତିମୂର୍ତ୍ତି ଗଣିତ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଝାରସୁଗୁଡ଼ାରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ତାଙ୍କ ପୁଣ୍ୟତିଥିରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଘୋଷଣା କରିଥିଲେ। କିନ୍ତୁ ଏଯାଏ ସ୍ବର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନାହିଁ। ସେପଟେ, ପ୍ରତିମୂର୍ତ୍ତି ଲଗେଇ କାଳେ ଦୀପାଳି ଆସନ୍ତା ନିର୍ବାଚନରେ କିଶୋର ସମର୍ଥକଙ୍କ ଭୋଟ୍ ହାତେଇନେବେ ସେନେଇ ଖୋଦ୍ ସ୍ବର୍ଗତ ମହାନ୍ତିଙ୍କ ପରିବାର ଲୋକେ ଏହି ପ୍ରତିମୂର୍ତ୍ତି ସ୍ଥାପନ ଦିଗରେ ଅନିଚ୍ଛୁକ ଥିବା କିଛି ବିଜେଡି ନେତା କହିବାକୁ ଲାଗିଲେଣି।

Sambad is now on WhatsApp
Join and get latest news updates delivered to you via WhatsApp
ଝାରସୁଗୁଡ଼ା ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ନବ କିଶୋର ଦାସ ଓ କିଶୋର ମହାନ୍ତି ଉଭୟଙ୍କର ବିୟୋଗ ହୋଇସାରିଲାଣି। କିନ୍ତୁ ଉଭୟ ପରିବାର ମଧ୍ୟରେ ରହି ଆସିଥିବା ରାଜନୈତିକ ତିକ୍ତତା ଏଯାଏ ସୁଧୁରିପାରିନି। ଗତ ଦଶହରାରେ ଝାରସୁଗୁଡ଼ାରେ ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ମଧ୍ୟରେ ପୋଷ୍ଟର ୱାର୍, ରାବଣପୋଡ଼ି ପୂର୍ବରୁ ରାବଣ ପୋଡ଼ି ଦିଆଯିବା ଆଦି ଘଟଣା ଏହି ତିକ୍ତତା ବଞ୍ଚିଥିବାର ମୂକସାକ୍ଷୀ। ଏହାର ପ୍ରତିଫଳନ ନିର୍ବାଚନୀ ମଇଦାନରେ ବି ଅତୀତରେ ଦେଖିବାକୁ ମିଳିଛି। ତେବେ ଗତ ଡିସେମ୍ବର ୩୧ ତାରିଖ ଦିନ କିଶୋର ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ସଭାରେ ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦାସ ଯୋଗ ଦେଇ ସ୍ବର୍ଗତ ମହାନ୍ତିଙ୍କ କର୍ମଭୂମି ମଙ୍ଗଳବଜାରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଓ ତାହା ପୁଣି ନବ ଦାସ ଫାଉଣ୍ଡେସନ ପକ୍ଷରୁ କରାଯିବ ବୋଲି ଘୋଷଣା କରିଥିଲେ। ଏହି ପ୍ରତିମୂର୍ତ୍ତି ସ୍ଥାପନ ସହିତ ସାଧାରଣ ନିର୍ବାଚନରେ କିଶୋର ସମର୍ଥକଙ୍କ ମନରୁ ଏହି ତିକ୍ତତାର ପ୍ରସଙ୍ଗ ଲିଭାଇଦେବାକୁ ସୁଶ୍ରୀ ଦାସ ଉଦ୍ୟମ କରିଥିଲେ।
ଏପରିକି ଫାଉଣ୍ଡେସନ ପକ୍ଷରୁ ସ୍ବର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବରାଦଦିଆ କାମ ମଧ୍ୟ ସରିଥିବା ତାଙ୍କ ଶିବିରରେ ଆଲୋଚନା ହେଉଥିଲା। ମାତ୍ର ଇତିମଧ୍ୟରେ ଘୋଷଣାକୁ ୩ ମାସ ପୂରିବାକୁ ଯାଉଥିଲେ ହେଁ ସ୍ବର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଲାଗିପାରିନି। ତେବେ ସ୍ବର୍ଗତ ମହାନ୍ତିଙ୍କ ପରିବାର ଲୋକେ କୁଆଡ଼େ ଏହି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅନିଚ୍ଛା ପ୍ରକଟ କରୁଥିବାରୁ ଏହି ପ୍ରସଙ୍ଗ ଝୁଲି ରହିଯାଇଥିବା କୁହାଯାଉଛି। ପ୍ରତିମୂର୍ତ୍ତି ସ୍ଥାପନ ହୋଇ ନପାରିଲେ ସୁଶ୍ରୀ ଦାସଙ୍କଠାରେ କିଶୋର ସମର୍ଥକ ଅଧିକ ଖପ୍ପା ହେବା ସାଙ୍ଗକୁ ସେ ଖେଳିଥିବା ମାଷ୍ଟରକାର୍ଡ ବି ଫେଲ୍ ମାରିବ। ସେହି ଲକ୍ଷ୍ୟରେ ସ୍ବର୍ଗତ ମହାନ୍ତିଙ୍କ ପରିବାର ଲୋକେ ମଧ୍ୟ ଏଦିଗରେ ସେତେଟା ଆଗ୍ରହ ପ୍ରକାଶ କରୁନାହିଁ। ଝାରସୁଗୁଡ଼ା ପୌରାଞ୍ଚଳର କିଛି ୱାର୍ଡରେ ଏବେ ବି କିଶୋର ସମର୍ଥକଙ୍କ ବେଶ୍ ଦବ୍ଦବା ରହିଛି। ଗତ ଉପନିର୍ବାଚନରେ ସୁଶ୍ରୀ ଦାସ ଏହି ଅଞ୍ଚଳରୁ ଆଶାନୁରୂପ ଭୋଟ୍ ପାଇନଥିଲେ। ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗଟି ପରିସ୍ଥିତିକୁ ଆହୁରି ବିଗାଡ଼ିପାରେ।
[ad_2]