ରାଜନୀତି

ବିଜେଡି ବିଜେପି ମେଣ୍ଟ ହେଲାନି: ଚର୍ଚ୍ଚାରେ ଯବନିକା ଟାଣିଲେ ମନମୋହନ – Kalinga News

[ad_1]

ଏକା ଲଢ଼ିବୁ, ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିବୁ: ବବି

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ହେବନି। ଉଭୟ ଦଳ ପରସ୍ପର ବିରୋଧରେ ଲଢ଼ିବେ। କିଛି ଦିନ ହେଲା ଏହାକୁ ନେଇ ଚାଲିଥିବା ଏହି ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଟ୍ବିଟ୍‌ କରି ମେଣ୍ଟ ଆଲୋଚନା, ସିଟ୍‌ ହିସାବନିକାଶ, ପ୍ରାକ୍-ଆକଳନରେ ଯବନିକା ଟାଣିଛନ୍ତି। ଏହାପରେ ରାଜ୍ୟର ରାଜନୈତିକ ପରିବେଶ ହଠାତ ସରଗରମ ହୋଇଯାଇଛି। ଉଭୟ ଦଳ ନିଜ ନିଜ ରାଜନୈତିକ କାର୍ଯ୍ୟକ୍ରମ ଜୋର୍‌ଦାର କରିବାକୁ ରଣନୀତି ଆରମ୍ଭ କରିଦେଇଛନ୍ତି।
ଗତକାଲି ନୂଆଦିଲ୍ଲୀରୁ ଫେରିଲା ପରେ ମେଣ୍ଟ ସମ୍ପର୍କରେ କିଛି କହି ନଥିଲେ ମନମୋହନ। ଆଜି ସକାଳେ ମଧ୍ୟ ଗଣମାଧ୍ୟମକୁ ଧୈର୍ଯ୍ୟ ଧରିବାକୁ କହିଥିଲେ। ଅପରାହ୍ନରେ ଟ୍ବିଟ୍‌(ଏକ୍ସ) କରି ବିଜେପି ଏକା ଲଢ଼ିବ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ରାଜ୍ୟ ସରକାରଙ୍କୁ ସମାଲୋଚନା ବି କରିଥିଲେ ମନମୋହନ। ସେ କହିଥିଲେ, ଗତ ୧୦ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ୱରାନ୍ୱିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ। କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡ଼ିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାନ୍ତି। ଓଡ଼ିଆ ଅସ୍ମିତା, ଓଡ଼ିଶାର ଗୌରବ ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏଥର ସମସ୍ତ ୨୧ଲୋକସଭା ଓ ୧୪୭ବିଧାନସଭା ଆସନରେ ଏକାକୀ ଲଢ଼ିବ।
ମନମୋହନଙ୍କ ଏହି ଟ୍ବିଟ୍‌କୁ ସଙ୍ଗେ ସଙ୍ଗେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟମାନେ ରିଟ୍ବିଟ୍‌ କରିଥିଲେ। ଅପରାଜିତା ସେତିକିରେ ନ ଅଟକି ଗଣମାଧ୍ୟମ ସାମ୍ନାରେ ବିଜେଡିକୁ ଛିଗୁଲାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିଜେପି ସହ ମେଣ୍ଟ କରିବାକୁ ବିଜେଡି ନିବେଦନ କରିଥିଲା। କିନ୍ତୁ ସେହି ନିବେଦନକୁ ବିଜେପି ପ୍ରତ୍ୟା‌ଖ୍ୟାନ କରିଛି। ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଓଡ଼ିଶାବାସୀ ଏହା ହିଁ ଚାହୁଥିଲେ। ବିଜେପି କାର୍ଯ୍ୟାଳୟରେ କର୍ମୀମାନେ ବାଣ ଫୁଟାଇ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ଦେଖାଯାଇଥିଲା।

ଚର୍ଚ୍ଚାରେ ଯବନିକା ଟାଣିଲେ ମନମୋହନ
ନେତା, କର୍ମୀଙ୍କ ଦ୍ବନ୍ଦ୍ବ ହଟିଲା; ବାଣ ଫୁଟାଇ ସ୍ବାଗତ କଲେ

ମନମୋହନଙ୍କ ଏହି ଘୋଷଣା ପରେ ରାଜ୍ୟ ରାଜନୀତିର ଚିତ୍ର ବଦଳିଯାଇଛି। ମେଣ୍ଟ ସମ୍ଭାବନା ଯୋଗୁ ଯେଉଁ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଯାଇଛି। ଏବେ ସମସ୍ତେ ସକ୍ରିୟ ହୋଇ ଉଠିଛନ୍ତି। ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଥିବାରୁ ତୃଣମୂଳ ସ୍ତରରେ ନେତା ଓ କର୍ମୀମାନେ ମଇଦାନକୁ ଓହ୍ଲାଇ ଆସିଛନ୍ତି। ଆଜି ସାମାଜିକ ଗଣମାଧ୍ୟମରେ ଉଭୟ ଦଳର ସମର୍ଥକମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ୬ ତାରିଖରୁ ମେଣ୍ଟ ଚର୍ଚ୍ଚା ଜୋର୍‌ ଧରିଥିଲା। ସେହିଦିନ ବିଜେଡିର ନେତାମାନଙ୍କର ନବୀନ ନିବାସରେ ବୈଠକ ହୋଇଥିଲା ବିଜେପି ରାଜ୍ୟ ସଭାପତିଙ୍କୁ ଦିଲ୍ଲୀ ଡକାଯାଇଥିଲା। ମେଣ୍ଟ ନେଇ କେହି ସ୍ପଷ୍ଟ କରୁ ନଥିଲେ ବି ଶୀର୍ଷ ସ୍ତରରେ ଆଲୋଚନା ଚାଲିଛି ବୋଲି ଆଉ ଅଛପା ରହିଲାନି। ଯଦିଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆରମ୍ଭରୁ ମେଣ୍ଟକୁ ଅସ୍ବୀକାର କରୁଥିଲେ, ତେବେ ସେ ସ୍ପଷ୍ଟ ଭାବେ କିଛି କହି ନଥିବାରୁ ଚର୍ଚ୍ଚା ବଢ଼ିଥିଲା। ଜାତୀୟ ଟିଭି ଚ୍ୟାନେଲ୍‌ର କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମେଣ୍ଟ ଆଲୋଚନା ଚାଲିଥିବାର ଇଙ୍ଗିତ ଦେଇଥିଲେ। ସେହିପରି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରି ବୃହତର ସ୍ବାର୍ଥ ପାଇଁ ଉଭୟ ନେତା ଏକାଠି ହେଉଛନ୍ତି ବୋଲି ସୂଚନା ଦେଇଥିଲେ। ଫଳରେ ମେଣ୍ଟ ହେବା ନେଇ ସମ୍ଭାବନା ବଢ଼ିଥିଲା। କିନ୍ତୁ ଶେଷରେ ମେଣ୍ଟ ହେବନି ବୋଲି ବିଜେପି କେନ୍ଦ୍ର ନେତୃତ୍ବ ନିଷ୍ପତ୍ତି ନେବା ପରେ ରାଜ୍ୟ ସଭାପତି ଘୋଷଣା କରିଛନ୍ତି।

NewsGram

ଏକା ଲଢ଼ିବୁ, ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିବୁ: ବବି

ଭୁବ‌ନେଶ୍ବର: ବିଜେପି ରାଜ୍ୟ ସଭାପତି ଟ୍ବିଟ୍‌ କରି ଏକାକୀ ଲଢ଼ିବା ନେଇ ଘୋଷଣା କଲା ପରେ ବିଜେଡି ବି ସମାନ ଢଙ୍ଗରେ ଘୋଷଣା କରିଛି। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଟ୍ବିଟ୍‌ କରି ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣିଛି। ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ। ରାଷ୍ଟ୍ର ଗଠନ ପାଇଁ ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା ଓ ରାଷ୍ଟ୍ରନୀତିର ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ। ନୂତନ ଓ ସଶକ୍ତ ଓଡ଼ିଶା ଆମର ଲକ୍ଷ୍ୟ ହେବ ଏବଂ ଆମର ‌ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମେ ଏହାକୁ ହାସଲ ଦିଗରେ ଆଗେଇ ଚାଲିଛୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button