ଆଞ୍ଚଳିକ ଦଳ ଉପରେ ବିଜେପି, କଂଗ୍ରେସର ଆଖି: ୧୨ ରାଜ୍ୟରେ କଡ଼ା ଟକ୍କର ହୋଇପାରେ – Kalinga News
[ad_1]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ସାରାଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣାର ଯଥେଷ୍ଟ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଗତ ୧୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ କ୍ରମାଗତ ତୃତୀୟ ଥର ବିଜୟୀ ହେବ ବୋଲି ଦୃଢ଼ ନିଶ୍ଚିତ। କେବଳ ଜିତିବ ନୁହେଁ, ଗତ ନିର୍ବାଚନ ଅପେକ୍ଷା ଏଥର ଅଧିକ ଆସନ ପାଇବ ବୋଲି ଆଶାବାଦୀ। ଏକାକୀ ବିଜେପି ୩୭୦ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ଦଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାସହିତ ଏନ୍ଡିଏ ମେଣ୍ଟ ୪୦୦ ଆସନ ପାର କରିବ ବୋଲି ଅଂଶୀଦାର ଦଳଙ୍କୁ ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଲକ୍ଷ୍ୟ ହାସଲ ଲାଗି ତାଙ୍କ ଟିମ୍ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।
୨୦୨୪ ନିର୍ବାଚନରେ ବିଜୟ ନେଇ ନିଶ୍ଚିତ ଥିବା ବିଜେପି ୩ଟି ପର୍ଯ୍ୟାୟର ଏହାର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣଙ୍କ ନାମ ଘୋଷଣା କରିଥିବା ବିଜେପି ଗତ ୧୩ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୭୨ ଜଣଙ୍କ ନାମ ଓ ଆଜି ତାମିଲନାଡ଼ୁର ୯ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛି। ମୋଟ୍ ୨୭୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି ଦଳ। କେଉଁ ରାଜ୍ୟରେ କାହା ସହିତ ମେଣ୍ଟ କରିବ, ତାହା ପ୍ରାୟ ଚୂଡ଼ାନ୍ତ ହୋଇଯାଇଛି। ବିହାର, ମହାରାଷ୍ଟ୍ର, ୟୁପି ଓ ଆନ୍ଧ୍ରପ୍ରଦେଶରେ ଆଞ୍ଚଳିକ ଦଳ ସହିତ ଆସନ ବୁଝାମଣା କରିସାରିଛି ବିଜେପି। କୌଣସି କାରଣରୁ ଏନ୍ଡିଏରୁ ବାହାରି ଯାଇଥିବା ଦଳମାନଙ୍କୁ ପୁଣି ମେଣ୍ଟରେ ସାମିଲ କରିବା ଲାଗି ମୋଦୀଙ୍କ ଆହ୍ବାନରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ସେଥିରେ ସଫଳତା ମିଳିଛି। ବିହାରରେ ନୀତୀଶଙ୍କ ଜେଡିୟୁ, ମହାରାଷ୍ଟ୍ରରେ ଶିବ ସେନା ଓ ଏନ୍ସିପି, ଆନ୍ଧ୍ରରେ ଟିଡିପି ଏବଂ ପଞ୍ଜାବରେ ଅକାଳୀ ଦଳ ଏନ୍ଡିଏକୁ ଫେରିଛନ୍ତି। କେବଳ ଓଡ଼ିଶା କଥା ଝୁଲି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ ୩୭୦ ଆସନର ଲକ୍ଷ୍ୟ ହାସଲ କରିବାକୁ ହେଲେ ବିଜେପିକୁ ପ୍ରଥମେ ୨୦୧୯ରେ ହାସଲ କରିଥିବା ୩୦୩ ଆସନକୁ ପୁଣି ଜିତିବାକୁ ପଡ଼ିବ। ୩୭୦ ଟାର୍ଗେଟ୍ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। ବିଜେପି ଏଦିଗରେ କସରତ ମଧ୍ୟ ଆରମ୍ଭ କରିଛି। ପ୍ରଥମ ଦୁଇ ପର୍ଯ୍ୟାୟରେ ବିଜେପି ଯେଉଁ ୨୬୭ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ସେଥିରୁ ୬୬ ଜଣ ସାଂସଦଙ୍କ ନାମକୁ ବାଦ୍ ଦିଆଯାଇଛି। ସେମାନଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ କରାଯାଇଛି। ଯେଉଁମାନେ ବିବାଦୀୟ ହୋଇପଡ଼ିଥିଲେ ଏବଂ ଯେଉଁମାନଙ୍କ କାର୍ଯ୍ୟ ସନ୍ତୋଷଜନକ ନଥିଲା, ସେମାନଙ୍କୁ ବାଦ୍ ଦିଆଯାଇଛି। ୨୦୧୯ରେ ୪୦ ପ୍ରତିଶତ ସାଂସଦଙ୍କ ଟିକେଟ କାଟି ଠିକ୍ ଅନୁରୂପ ରଣନୀତି କରିଥିଲା ବିଜେପି ଏବଂ ଏଥିରେ ସଫଳତା ମଧ୍ୟ ମିଳିଥିଲା। ଏଥର ମଧ୍ୟ ୪୦ ଭାଗ ସାଂସଦଙ୍କ ଟିକଟ କଟିପାରେ ବୋଲି କୁହାଯାଉଛି। ତେବେ ଏଥର ପ୍ରାର୍ଥୀ ଚୟନରେ ପଛୁଆ ବର୍ଗ, ତଫସିଲଭୁକ୍ତ ଜାତି/ଉପଜାତି, ମହିଳା ଓ ଯୁବ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ମନସ୍ଥ କରିଛି ବିଜେପି।
ଏହାସତ୍ତ୍ବେ ୩୭୦ ଟାର୍ଗେଟ ହାସଲ କରିବା ବିଜେପି ସହଜ ହୋଇନପାରେ ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି। ସେମାନଙ୍କ ମତରେ ବିଜେପି ପାଇଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଅପେକ୍ଷା ଆଞ୍ଚଳିକ ଦଳ ବେଶି ଚାଲେଞ୍ଜ ସୃଷ୍ଟି କରିପାରନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ବିହାରରେ ଆର୍ଜେଡି, ଝାଡ଼ଖଣ୍ଡରେ ଜେଏମ୍ଏମ୍, ୟୁପିରେ ଅଖିଳେଶଙ୍କ ସମାଜବାଦୀ ପାର୍ଟି, ଦିଲ୍ଲୀ ଓ ପଞ୍ଜାବରେ ଆପ୍, ତାମିଲନାଡ଼ୁରେ ଡିଏମ୍କେ, ଆନ୍ଧ୍ରରେ ୱାଇଏସ୍ଆର କଂଗ୍ରେସ, ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନ୍ସିପି ଓ ଉଦ୍ଧବ ଠାକରେଙ୍କ ଶିବ ସେନା ଏବଂ କେରଳରେ ସିପିଏମ୍। ୟୁପିରେ ଅଧିକ ଆସନ ହାସଲ କରିବା ସହିତ ବିଜେପିକୁ ପଶ୍ଚିମ ବଙ୍ଗ ଓ ବିହାରରେ ସମସ୍ତ ଆସନ ପୋଛିବାକୁ ପଡ଼ିବ। ଏହାସହିତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନାରେ ଆଉ କିଛି ଆସନ ଗୋଟାଇବାକୁ ପଡ଼ିବ। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସେମିତି ପ୍ରସ୍ତୁତ ଥିବା ଭଳି ମନେହେଉ ନାହିଁ। ୧୦ ବର୍ଷ ଧରି କ୍ଷମତାରୁ ବାହାରେ ରହିଥିବା କଂଗ୍ରେସ କ୍ଷମତା ଦଖଲ ପାଇଁ ଏହାର ସହଯୋଗୀ ଦଳଙ୍କ ଉପରେ ନିର୍ଭର କରୁଛି। ଏହି ଦଳ ନେତୃତ୍ବରେ ଗଠିତ ଇଣ୍ଡିଆ ମେଣ୍ଟ ସ୍ଥିତି ଠିକ୍ ନାହିଁ। କଂଗ୍ରେସ ଏବେ ବିହାରରେ ଲାଲୁ ପ୍ରସାଦଙ୍କ ଆର୍ଜେଡି, ତାମିଲନାଡୁରେ ଡିଏମ୍କେ, ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନ୍ସିପି-ଉଦ୍ଧବଙ୍କ ଶିବ ସେନା ଏବଂ ୟୁପିରେ ସମାଜବାଦୀ ପାର୍ଟି ଉପରେ ନିର୍ଭର କରୁଛି। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ସହିତ ମଧ୍ୟ ଆସନ ବୁଝାମଣା କରିଛି। ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ ଓ ତେଲେଙ୍ଗାନାରେ କଂଗ୍ରେସର ପ୍ରଦର୍ଶନ ଭଲ ରହିପାରେ ବୋଲି କୁହାଯାଉଛି।
ମୋଟାମୋଟି କହିବାକୁ ଗଲେ ୟୁପି ସମେତ ବିହାର, ପଶ୍ଚିମ ବଙ୍ଗ, ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ ଭଳି ୧୨ଟି ରାଜ୍ୟରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହୋଇପାରେ। ତେବେ ଏହା ନିଶ୍ଚିତ ଯେ ସଫଳତା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ଆଞ୍ଚଳିକ ଦଳମାନଙ୍କ ଉପରେ ନିର୍ଭର କରୁଛନ୍ତି। ଏବେ ବିଜେପି ପଟେ ୩୯ଟି ଆଞ୍ଚଳିକ ଦଳ ଥିବା ବେଳେ କଂଗ୍ରେସ ସହିତ ୨୬ଟି ଆଞ୍ଚଳିକ ଦଳ ଅଛନ୍ତି।
[ad_2]