ଖେଳ ଖବର

ଭାବୁକ ହେଲେ ଦ୍ରାବିଡ଼: ‘‘ଆଇସିୟୁରେ ମା’ ଥିଲା ବେଳେ ଅଶ୍ବିନ ଫେରିବା ଶ୍ରେଷ୍ଠ ମୁହୂର୍ତ୍ତ’’ – Kalinga News

[ad_1]

ରୋହିତ ଜଣାଇଲେ ଧନ୍ୟବାଦ

ଧର୍ମଶାଳା: ଯଶସ୍ବୀ ଜୟସ୍ବାଲଙ୍କ ଦ୍ବିଶତକ, ଗୋଟିଏ ଶୃଙ୍ଖଳାରେ ୫ଜଣ ଖେଳାଳି ପଦାର୍ପଣ କରିବା କିମ୍ବା ଭାରତ ଘରୋଇ ମାଟିରେ ଲଗାତାର ୧୭ ଟେଷ୍ଟ୍ ଶୃଙ୍ଖଳା ଜିତିବା ନୁହେଁ, ବରଂ ମା’ ଆଇସିୟୁରେ ଜୀବନ ଯୁଦ୍ଧ ଲଢ଼ୁଥିଲା ବେଳେ ତାଙ୍କୁ ଛାଡ଼ି ଅଶ୍ବିନ ପୁନର୍ବାର ଦଳ ସହ ଯୋଗଦେବାକୁ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ‌ଘଟଣା ବହୁଳ ଟେଷ୍ଟ୍ ଶୃଙ୍ଖଳାର ଶ୍ରେଷ୍ଠ ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼। ରବିବାର ଦଳଠାରୁ ଅଲଗା ହେବା ପୂର୍ବରୁ ସେ କହିଥିଲେ, ଅଶ୍ବିନ ଜରୁରି ପରିସ୍ଥିତିରେ ଥିଲେ। ତାଙ୍କ ମା’ଙ୍କ ଦେହ ଭୀଷଣ ଖରାପ ଥିଲା। ଏହା ସତ୍ତ୍ବେ ରାଜକୋଟ ଟେଷ୍ଟ୍‌ର ତୃତୀୟ ଦିନ ଚେନ୍ନାଇ ଯାଇ ଚତୁର୍ଥ ଦିନରେ ସେ ପୁନର୍ବାର ଦଳ ସହ ଯୋଗଦେଇଥିଲେ। ଆମ ବିଜୟରେ ଉପଯୋଗୀ ଅବଦାନ ରଖିଥିଲେ। ଏହା ହିଁ ଆମ ଦଳର ପ୍ରତିଶ୍ରୁତିବଦ୍ଧତା ଓ ବଳିଷ୍ଠ ଚରିତ୍ରକୁ ଦର୍ଶାଉଛି। ମୋ ପାଇଁ ଅଶ୍ବିନଙ୍କ ପ୍ରତ୍ୟାବର୍ତ୍ତନ ଶୃଙ୍ଖଳାର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ଏଥିପାଇଁ ଦଳରେ ଯେଉଁ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା, ତାହା ମୋ ହୃଦୟକୁ ଖୁସି ଓ ଆନନ୍ଦରେ ଭରି ଦେଇଥିଲା। ଏହି ଅବସରରେ ଦ୍ରାବିଡ଼ ମଧ୍ୟ କୁଲଦୀପ ଯାଦବଙ୍କ ବୋଲିଂ ଓ ଅଧିନାୟକ ରୋହିତ ଶର୍ମାଙ୍କ ବଳିଷ୍ଠ ନେତୃତ୍ବକୁ ଭୂୟସୀ ପ୍ରଶଂସା କରିଥିଲେ। କୁଲଦୀପଙ୍କୁ ଦ୍ରାବିଡ଼ ଭାରତୀୟ ଦଳର ‘ଏକ୍ସ ଫ୍ୟାକ୍ଟର’ ଭାବେ ବର୍ଣ୍ଣନା କରିଥିଲେ। ଘରୋଇ କ୍ରିକେଟ୍‌ର ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ଟ୍ରଫିର ମ୍ୟାଚ୍ ବ୍ୟବଧାନକୁ ବଢ଼ାଇବାକୁ ଅଲରାଉଣ୍ଡର୍ ଶାର୍ଦୁଳ ଠାକୁର ନିକଟରେ ବିସିସିଆଇକୁ ଆହ୍ବାନ କରିଥିଲା ବେଳେ ଦ୍ରାବିଡ଼ ମଧ୍ୟ ଏହି ବିଷୟରେ ନିଜ ମତ ରଖିଛନ୍ତି। ଦିନେ ନା ଦିନେ ବିସିସିଆଇକୁ ଖେଳାଳିଙ୍କ ଭାବନାକୁ ସମ୍ମାନ ଦେବାକୁ ପଡ଼ିବ ବୋଲି କହିଛନ୍ତି।

ରୋହିତ ଜଣାଇଲେ ଧନ୍ୟବାଦ
ଇଂଲଣ୍ଡ ଶୃଙ୍ଖଳା ଶେଷ ହେବା ସହ ଭାରତୀୟ ଖେଳାଳିମାନେ ସଂପ୍ରତି ଜାତୀୟ ଦାୟିତ୍ବରୁ ସାମୟିକ ଭାବେ ମୁକ୍ତ ହୋଇଛନ୍ତି। ଏହା ପରେ ଅଧିକାଂଶ ଖେଳାଳି ଆଇପିଏଲ୍‌ରେ ପରସ୍ପର ବିପକ୍ଷରେ ଖେଳିବେ। ଏଥିଲାଗି ଦଳଠାରୁ ଅଲଗା ହେବା ପୂର୍ବରୁ ଦ୍ରାବିଡ଼ ଆବେଗଭରା ଭାଷଣରେ ଖେଳାଳିଙ୍କ ମନ ଜିତି ନେଇଛନ୍ତି। ସେ କହିଛନ୍ତି, ଆମେ ପଛୁଆ ଥାଇ କେବଳ ଶୃଙ୍ଖଳା ଜିତି ନଥିଲେ। ବରଂ ପ୍ରତିପକ୍ଷକୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ। ପିଲାମାନେ ତୁମେ ବହୁତ ଭଲ ଖେଳ ଖେଳିଲ। ମନେରଖ, ଜିତ କି ହାର କ୍ରିକେଟ୍ ତୁମକୁ ବହୁତ କିଛି ଶିଖାଇଥାଏ। ବିଶେଷ କରି ୫ ଟିକିଆ ଶୃଙ୍ଖଳାରେ ବ୍ୟକ୍ତିଗତ ସହ ଦଳଗତ ଭାବେ ଅନେକ କିଛି ଶିଖିବାକୁ ମିଳିଥାଏ। କଠିନ ସମୟକୁ ଆମେ ସଫଳତାର ସହ ପାର କରିଛେ। ତୁମକୁ ପରସ୍ପରକୁ ସହଯୋଗ ଓ ସମର୍ଥନ ଦେବା ଜାରି ରଖିବାକୁ ହେବ। ଆଶା କରୁଛି, ତୁମ ଭିତରୁ ଅନେକ ଲମ୍ବା ସମୟ ପାଇଁ ଦେଶର ପ୍ରତିନିଧିତ୍ବ କରିବ। ସମସ୍ତେ ଏହିଭଳି ପରସ୍ପରକୁ ସାହାଯ୍ୟ କରିବା ଜାରି ରଖିବ। ଏତେ ଲମ୍ବା ଶୃଙ୍ଖଳା ଜିତିବାର ମଜା ସତରେ ନିଆରା। ଏଭଳି ଆତ୍ମସନ୍ତୋଷ ଆଉ କେଉଁଠାରୁ ମିଳି ନଥାଏ। ସମସ୍ତ ସହକାରୀ ଅଧିକାରୀଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ଅବସରରେ କିଛି ସମୟ ପାଇଁ କହିଥିଲେ। ଯେ‌ତେ ଝଡ଼ ଝଞ୍ଜା ଆ‌ସିଲେ ବି ସମସ୍ତେ ଏକାଠି ରହିଥିବାରୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଦେଇଥିଲେ। ଏକ ମନ ହୋଇ ଲଢ଼ି ବିଜୟର ମିଠା ସ୍ବାଦ ପାଇଥିବାରୁ ଖୁସି ଜାହିର କରିଥିଲେ।

ସମସ୍ତ ୩ ଫର୍ମାଟ୍‌ରେ ପୁଣି ଭାରତ ଏକ ନମ୍ବର
ଦୁବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳକୁ ୪-୧ରେ ଜିତିବା ପରେ ଭାରତ ଆଇସିସ ଟେଷ୍ଟ୍‌ ମାନ୍ୟତାରେ ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ଶୀର୍ଷରେ ପହଞ୍ଚିଛି। ପୂର୍ବରୁ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ଶୀର୍ଷରେ ଥିବା ଭାରତ ଏବେ ସମସ୍ତ ୩ଟି ଯାକ ଫର୍ମାଟ୍‌ରେ ଏକ ନମ୍ବର ସ୍ଥାନ ରହିବା ସହ ଆଧିପତ୍ୟ ବିସ୍ତାର କରିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ ହାରିବା ପରେ ଭାରତ ପରବର୍ତ୍ତୀ ୪ ମ୍ୟାଚ୍‌ ଭାଇଜାଗ, ରାଜକୋଟ, ରାଞ୍ଚି ଓ ଧର୍ମଶାଳା‌ରେ ବିଜୟ ସହ ଶୃଙ୍ଖଳା କରାୟତ କରିଥିଲା। ଏଥିସହ ଦଳ ୧୨୨ ରେଟିଂ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନ ଦଖଲ କରିଛି। ଅଷ୍ଟ୍ରେଲିଆ (୧୧୭) ଦ୍ବିତୀୟ ଏବଂ ଇଂଲଣ୍ଡ (୧୧୧) ତୃତୀୟରେ ରହିଛନ୍ତି। ସଂପ୍ରତି ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍‌ ପରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିବ‌ା ନିଶ୍ଚିତ ଅଛି। ଦିନିକିଆରେ ଭାରତ ୧୨୧ ରେଟିଂ ପଏଣ୍ଟ୍‌ ସହ ଶୀର୍ଷରେ ଓ ଅଷ୍ଟ୍ରେଲିଆ (୧୧୮) ଦ୍ବିତୀୟରେ ରହିଛି। ସେହିଭଳି ଟ୍ବେଣ୍ଟି-୨୦ରେ ୨୬୬ ରେଟିଂ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଥିଲା ବେଳେ ଇଂଲଣ୍ଡ‌ (୨୫୬) ଦ୍ବିତୀୟରେ ରହିଛି। ପୂର୍ବରୁ ଭାରତ ୩ଟି ଯାକ ଫର୍ମାଟ୍‌ରେ ସେପ୍ଟେମ୍ବର ୨୦୨୩ ଏବଂ ଚଳିତ ବର୍ଷ ଜାନୁଆରିରେ ରହିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ୧-୧ ଅମୀମାଂସିତ କରିବା ପରେ ଦ୍ବିତୀୟକୁ ଖସିଥିଲା। ଭାରତ ମଧ୍ୟ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଟେବୁଲର ଶୀର୍ଷରେ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button