ରାଜନୀତି

ବିଜେଡିର ଅଡ଼ୁଆ ବଢ଼ାଇଲେଣି ଆଶାୟୀ: ଉତ୍ତରରେ ପ୍ରିୟଦର୍ଶୀଙ୍କ ଯୁବ-ଛାତ୍ର ସମାବେଶ – Kalinga News

[ad_1]

ଏକାମ୍ରରେ ବିରଞ୍ଚିଙ୍କ ବନ୍ଧୁମିଳନ, ମଧ୍ୟରେ ଅଣ୍ଟା ଭିଡ଼ିଲେଣି ଅମରେଶ

ଭୁବନେଶ୍ୱର: ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲାରେ ତିନି ବିଧାନସଭା କ୍ଷେତ୍ର। ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଧାୟକ ମଧ୍ୟ ବିଜେଡିର। ବର୍ତ୍ତମାନର ତିନି ବିଧାୟକ ପୁଣି ଥରେ ଟିକେଟ୍‌ ପାଇଁ ଆଶାବାଦୀ ଅଛନ୍ତି। ସେମାନେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ଜୋର୍‌ଦାର କଲେଣି। କିନ୍ତୁ ତିନି ନିର୍ବ‌ାଚନମଣ୍ଡଳୀରେ ଦଳର ଏକାଧିକ ଆଶାୟୀ ଏବେ ଅଡ଼ୁଆ ବଢ଼ାଇଲେଣି। ସବୁ ଆଶାୟୀଙ୍କ ବ୍ୟାନର୍‌ରେ ଦଳର ସଭାପତି ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ଙ୍କ ଫଟୋ ଦେଖିବାକୁ ମିଳୁଛି। ଏହା ଏବେ ବିଜେଡିର ଶୀର୍ଷ ନେତୃତ୍ବଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି।

ଉତ୍ତର ଭୁବନେଶ୍ବର ବିଧାୟକ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ କୁମାର ରାଉତ ପୁନର୍ବାର ଟିକେଟ୍‌ ପାଇବେ ବୋଲି ତାଙ୍କ ସମର୍ଥକମାନେ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି। କିନ୍ତୁ ତାଙ୍କ ନେତୃତ୍ବକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଲଗାତାର ଭାବେ ନିର୍ବାଚନମଣ୍ଡଳୀରେ ସମ୍ମିଳନୀ କରି ଚାଲିଛନ୍ତି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟିଆସ୍ଥିତ ମା’ ପନିକିପଟା ମନ୍ଦିର ପରିସରରେ ଆଜି ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। ଯୁବନେତା ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯୁବକ ଓ ଛାତ୍ର ହେଉଛନ୍ତି ସମାଜର ମେରୁଦଣ୍ଡ। ସେମାନଙ୍କ ଉନ୍ନତି ପାଇଁ ସ୍କୁଲ, କଲେଜର ରୂପାନ୍ତରଣ ହେବା ସହ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀ ରାଜନୀତିରେ ସାମିଲ ହୋଇ ନେତୃତ୍ବ ନେବାକୁ ସେ ଆହ୍ବାନ ଦେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତ, ଅଭିନେତା ବିଜୁ ବଡ଼ଜେନା, କର୍ମଚାରୀ ନେତା ସରୋଜକାନ୍ତ ମଲ୍ଲିକ, ବରିମୁଣ୍ଡ ଗ୍ରାମ ସଭାପତି ପବିତ୍ର ସ୍ବାଇଁ, ଯୁବନେତା ଆଲୋକ ପାଣିଗ୍ରାହୀ, ଛାତ୍ରନେତା ଆଦର୍ଶ ସେନ, ନାରୀନେତ୍ରୀ ଦୀପା ଦାସ ପ୍ରମୁଖ ସାମିଲ ହୋଇ କହିଲେ ଶ୍ରୀ ମିଶ୍ରଙ୍କୁ ଜଣେ ଦରଦୀ ନେତା ଭାବେ ଅଭିହିତ କରିଥିଲେ। ଆଗାମୀ ନିର୍ବାଚନରେ ତାଙ୍କୁ ପୁଣିଥରେ ବିଧାୟକ ପ୍ରାର୍ଥୀ କରିବାକୁ ସେମାନେ ଖୋଲାଖୋଲି ଆହ୍ୱାନ ଦେଇଛନ୍ତି। ଏଥିରେ ବିଭିନ୍ନ ୱାର୍ଡ ଓ ପଞ୍ଚାୟତର ଯୁବକ-ଛାତ୍ରମାନେ ସାମିଲ ହୋଇଥିଲେ। ପ୍ରିୟଦର୍ଶୀଙ୍କ ସମା‌ବେଶଠାରୁ ମାତ୍ର ୪ କିମି ଦୂରରେ ଶିଖରଚଣ୍ଡୀ ପାହାଡ଼ରେ ଅନୁଷ୍ଠିତ ପୌରାଞ୍ଚଳ ବସ୍ତି ଉନ୍ନୟନ ମହାସଂଘର ସାଂଗଠନିକ ବୈଠକରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ କର୍ପୋରେଟରମାନେ ସାମିଲ ହୋଇଥିଲେ।

ଆଜି ଏକାମ୍ର ନିର୍ବାଚନମଣ୍ଡଳୀରେ ୫୯ ନମ୍ବର ୱାର୍ଡ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାରଙ୍କ ବନ୍ଧୁ ମିଳନ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସେ କିଛି ମାସ ହେଲା ହୋର୍ଡିଂ, ବ୍ୟାନର୍‌ ଲଗାଇ ନିଜର ବିଧାୟକ ପ୍ରାର୍ଥିତ୍ବ ନେଇ ଇଙ୍ଗିତ ଦେଉଥିଲେ। ଦଳର ଶୀର୍ଷ ନେତୃତ୍ବଙ୍କ ପାଖରେ ନିଜର ଇଚ୍ଛା ବି ଜାହିର କରିଥିଲେ। କିନ୍ତୁ ଉପର ମହଲରୁ ସେପରି କୌଣସି ଠୋସ୍‌ ପ୍ରତିଶ୍ରୁତି ନମିଳିବାରୁ ବିରଞ୍ଚି ସିଧାସଳଖ କ୍ଷେତ୍ରକୁ ଓହ୍ଲାଇଛନ୍ତି। ଆଉ ଲୁଚାଛପାରେ ବୈଠକ ନକରି ଖୋଲାଖୋଲି ସାମନ୍ତରାପୁରରେ ଏକ ବନ୍ଧୁମିଳନ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଯେଉଁ ସମୟରେ ସ୍ଥାନୀୟ ବିଧାୟକ କାର୍‌ଗିଲ୍‌ ପଡ଼ିଆରେ ମହିଳା ସମାବେଶ କରୁଥିଲେ ସେହି ସମୟରେ ବିରଞ୍ଚିଙ୍କର ବନ୍ଧୁମିଳନ ଚାଲିଥିଲା। ତାଙ୍କ ବ୍ୟାନର୍‌ରେ ବିଧାୟକଙ୍କ ଫଟୋ ନଥିଲା ବେଳେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ସ‌ମେତ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଫଟୋ ଥିଲା। ଅବଶ୍ୟ ଏକାମ୍ରର ବିଜେଡି କର୍ପୋରେଟର୍‌ଙ୍କ ମଧ୍ୟରୁ କେବଳ ଅମରେଶ ଜେନା ଏଥିରେ ସାମିଲ ହୋଇଥିଲେ। ପୂର୍ବତନ କର୍ପୋରେଟର୍‌ ମଳୟ ମହାପାତ୍ର, ବାବୁଲି ସମର୍ଥା, ମଣ୍ଡୁ ନନ୍ଦ ଓ ପ୍ରତାପ ସାହୁ ଏଥିରେ ସାମିଲ ହୋଇ ଖୋଲାଖୋଲି ଭାବେ ବିରଞ୍ଚିଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଆହ୍ବାନ ଦେଇଥିଲେ। ତେବେ ଏକାମ୍ରର ଆଉ ଜଣେ ଆଶାୟୀ ପ୍ରାର୍ଥୀ ତଥା ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟଙ୍କୁ ଏଠାରେ ଦେଖିବାକୁ ମିଳି ନଥିଲା।

ମଧ୍ୟ ଭୁବନେଶ୍ବରରେ ସ୍ଥିତି ଆହୁରି ଜଟିଳ ହୋଇଛି। ‘ଉଇ ଫର୍‌ ଭୁବନେଶ୍ବର’ ବ୍ୟାନରରେ କିଛି ପୂର୍ବତନ କର୍ପୋରେଟର ଏକାଠି ହୋଇ ବିଧାୟକ ଶ୍ରୀ ଜେନାଙ୍କୁ ଲଗାତାର ବିରୋଧ କରି ଆସୁଛନ୍ତି। ବିଭିନ୍ନ ସମୟରେ ବନ୍ଧୁ ମିଳନ ଆୟୋଜନ କରିବା ସହ ନୂଆ ପୁରୁଣା ବିଜେଡି ନେତାଙ୍କୁ ଏକାଠି କରିବାରେ ଲାଗିଛନ୍ତି। ବିଧାୟକଙ୍କ ବିରୋଧୀ ଭାବେ ଜଣାଶୁଣା କର୍ପୋରେଟର୍‌ ଅମରେଶ ଜେନା ଏହି ଗୋ‌ଷ୍ଠୀର ନେତୃତ୍ବ ନେଉଛନ୍ତି। ଦୁଇ ଦିନ ତଳେ ପୂର୍ବତନ କାଉନସିଲର ଓ କର୍ପୋରେଟର ୱେଲଫେୟାର ଟ୍ରଷ୍ଟ ବ୍ୟାନରରେ ମଧ୍ୟ ଭୁବନେଶ୍ବରର ନେତାମାନେ ଏକାଠି ହୋଇ ବିଧାୟକ ଶ୍ରୀ ଜେନାଙ୍କ ବିରୋଧରେ ସ୍ବର ଉଠାଇଥିଲେ। ଏବେ କର୍ପୋରେଟର ଅମରେଶ ଜେନାଙ୍କ ନେତୃତ୍ବରେ ବର୍ତ୍ତମାନ ଓ ପୂର୍ବତନ କର୍ପୋରେଟରମାନେ ମେଳି ବାନ୍ଧିବା ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ କର୍ପୋରେଟର ‌ଶ୍ରୀ ଜେନାଙ୍କ ନେତୃତ୍ବରେ ନିର୍ବାଚନମଣ୍ଡଳୀ ଅଧୀନ ୧୯ଟି ୱାର୍ଡର ଯୁବ, ମହିଳା ଓ ଛାତ୍ରଙ୍କୁ ନେଇ ବିଶାଳ ସମାବେଶ କରାଯିବ। ଯେଉଁଥିରେ ପ୍ରାୟ ୫ ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ସନ୍ଧ୍ୟାରେ ଏକ ରୁଦ୍ଧଦ୍ବାର ବୈଠକରେ ମହାସମାବେଶର ରୂପରେଖ ପ୍ରସ୍ତୁତ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button