ଜିଲ୍ଲାକୁ ରୋଗଣା କରୁଛି ବାଲ୍ୟ ବିବାହ: ୫ବର୍ଷରେ ୨୦ହଜାର ନାବାଳିକା ଗର୍ଭବତୀ – Kalinga News

[ad_1]
ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ କୁପୋଷିତ ଏବଂ ରକ୍ତହୀନ ମହିଳା ତଥା ଶିଶୁଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ନିରନ୍ତର ପ୍ରୟାସ ସତ୍ତ୍ବେ ସ୍ଥିତିରେ ବିଶେଷ ଫରକ ପଡ଼ିନାହିଁ। ବାଲ୍ୟ ବିବାହ ଗୋଟିଏ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏନ୍ଏଫ୍ଏଚ୍ଏସ୍-୫ ସର୍ଭେ ଅନୁଯାୟୀ, ୧୫ରୁ ୧୯ବର୍ଷ ମଧ୍ୟରେ ଜିଲ୍ଲାର ୮.୩% ନାବାଳିକା ଗର୍ଭବତୀ ହେବା ସହ ମାତୃତ୍ବ ଲାଭ କରୁଛନ୍ତି। ସେହିପରି ୧୮ବର୍ଷରୁ କମ୍ ବୟସରେ ୩୯ ପ୍ରତିଶତ ନାବାଳିକା ବିବାହ କରୁଛନ୍ତି। ଏହି ରିପୋର୍ଟରେ ବାଲ୍ୟ ବିବାହରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ୧ନମ୍ବର ସ୍ଥାନରେ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
କିଶୋରୀ ବୟସରେ ମାତୃତ୍ବ ଲାଭ କରିବା ଫଳରେ ନିଜେ ନାବାଳିକା କୁପୋଷଣ ଏବଂ ରକ୍ତହୀନତାର ଶିକାର ହେଉଛନ୍ତି। ସେମାନଙ୍କ ସନ୍ତାନ ମଧ୍ୟ କୁପୋଷିତ କିମ୍ବା ରକ୍ତହୀନ ହେଉଥିବା ଜଣାପଡ଼ିଛି।ବାଲ୍ୟ ବିବାହ ରୋକିବା ପାଇଁ ପ୍ରଶାସନ ଅନ୍ବେଷା ଭଳି କାର୍ଯ୍ୟକ୍ରମ ହାତକୁ ନେଇଛି। ଜାତି ତଥା ସମାଜ ମୁଖିଆଙ୍କୁ ମଧ୍ୟ ସଚେତନ କରାଯାଉଛି। ଗତ ୨ବର୍ଷ ମଧ୍ୟରେ ଜିଲ୍ଲାର ୭୭୮ ଗାଁକୁ ବାଲ୍ୟ ବିବାହ ମୁକ୍ତ କରାଯାଇଥିବା ପ୍ରଶାସନ କହୁଛି। ଗତ ୪ବର୍ଷରେ ପ୍ରାୟ ୧୪୦୦ ବାଲ୍ୟ ବିବାହକୁ ରୋକିବାରେ ସକ୍ଷମ ହୋଇଥିବା ସୂଚନା ଦେଇଛି। ହେଲେ ବାସ୍ତବିକତା ହେଲା- ଏସବୁ ରିପୋର୍ଟର ପ୍ରଭାବ ଏଯାଏ ପରିଦୃଷ୍ଟ ହେଉନାହିଁ। ବରଂ କେନ୍ଦ୍ର ସରକାରଙ୍କ ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ତଥ୍ୟ ଅନୁସାରେ, ଗତ ୫ବର୍ଷ ମଧ୍ୟରେ ଜିଲ୍ଲାରେ ୨୦ହଜାରରୁ ଊର୍ଦ୍ଧ୍ବ ନାବାଳିକା ଗର୍ଭବତୀ ହୋଇଛନ୍ତି। ୨୦୧୯-୨୦ ବର୍ଷରେ ମୋଟ ୩୩୫୬୯ଜଣ ଗର୍ଭବତୀଙ୍କ ପଞ୍ଜୀକରଣ ହୋଇଥିଲା ବେଳେ ସେଥିରେ ୫୪୯୪ଜଣ ନାବାଳିକା ରହିଥିଲେ। ୨୦୨୦-୨୧ ବର୍ଷରେ ୩୩୫୨୯ ଗର୍ଭବତୀଙ୍କ ପଞ୍ଜୀକରଣ ହୋଇଥିଲା, ସେଥିରୁ ୪୪୯୮ଜଣ ନାବାଳିକା ରହିଥିଲେ। ୨୦୨୧-୨୨ ବର୍ଷରେ ୪୩୧୫ ଏବଂ ୨୦୨୨-୨୩ ବର୍ଷରେ ୩୫୧୪ଜଣ ନାବାଳିକା ଗର୍ଭବତୀ ପଞ୍ଜୀକରଣ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ଜାନୁଆରି ମାସ ସୁଦ୍ଧା ୨୩୨୬୧ଜଣ ଗର୍ଭବତୀ ପଞ୍ଜୀକରଣ କରିଛନ୍ତି ଏବଂ ସେଥିରେ ୨୪୪୦ ଜଣ ନାବାଳିକା ରହିଛନ୍ତି। ଗତବର୍ଷ ଜିଲ୍ଲାରେ ମୋଟ ଗର୍ଭବତୀଙ୍କ ମଧ୍ୟରେ ୧୧.୭ ପ୍ରତିଶତ ନାବାଳିକା ଥିଲେ।
ଉଦ୍ବେଗର ବିଷୟ ହେଲା ଯେଉଁ କିଶୋରୀ ଗର୍ଭବତୀ ହେଉଛନ୍ତି ସେଥିରେ ୧୫ବର୍ଷରୁ କମ ବୟସ୍କ କିଶୋରୀଙ୍କ ସଂଖ୍ୟା ଆଦୌ କମ୍ ନୁହେଁ। ଏତେ କମ୍ ବୟସରେ ଝିଅ ଗର୍ଭବତୀ ହେବା ଦ୍ବାରା ଶାରୀରିକ ସମସ୍ୟା ଦେଖାଯିବା ସହ ଜୀବନ ପ୍ରତି ବିପଦ ରହୁଛି। ଏପରି ଅନେକ କିଶୋରୀ ପ୍ରସବ ସମୟରେ ଜୀବନ ହରାଉଛନ୍ତି। ନାବାଳିକା ଗର୍ଭବତୀ ହେଲେ କେଉଁ ଭଳି ସମସ୍ୟା ହୋଇଥାଏ ଜାଣିବା ନିମନ୍ତେ ସିଡିଏମଓ ଡା. କାଳୀପ୍ରସାଦ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ସାଧାରଣତଃ ୨୧ବର୍ଷରେ ମହିଳା ଗର୍ଭଧାରଣ କରିବା ସୁରକ୍ଷିତ ହୋଇଥାଏ। ନାବାଳିକା ପ୍ରସବ କଲେ ସନ୍ତାନର ମାନସିକ ଓ ଶାରୀରିକ ବିକାଶ ହୋଇନଥାଏ। ପ୍ରସବ ସମୟରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇ ଡାକ୍ତରଙ୍କୁ ସମସ୍ୟାରେ ପକାଇଥାଏ। ଉଭୟ ମା’ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ରହୁଛି।
[ad_2]