ଖେଳ ଖବର

ରେକର୍ଡ ଭାଙ୍ଗିବାକୁ କୋହଲିଙ୍କ ଚିନ୍ତା ନାହିଁ: ସଚିନଙ୍କ ପ୍ରଥମ ଶତକକୁ ୩୩ ବର୍ଷ – Kalinga News


ନୂଆଦିଲ୍ଲୀ: ବିରାଟ କୋହଲି ଏବେ ଦିନିକିଆ ଅନ୍ତର୍ଜାତୀୟ କ୍ରି‌କେଟ୍‌ର ଶତକ କୀର୍ତ୍ତିମାନଠାରୁ ମାତ୍ର ୪ଟି ଦୂରରେ ରହିଛନ୍ତି। ସଚିନ ତେନ୍ଦୁଲକର ୪୯ ଶତକ ସହ ବିଶ୍ବ ରେକର୍ଡକୁ ନିଜ ନାମରେ ରଖିଥିବା ବେଳେ ବିରାଟ କୋହଲିଙ୍କ ଦିନିକିଆ ଶତକ ସଂଖ୍ୟା ୪୬ରେ ପହଞ୍ଚିସାରିଛି। ଚଳିତ ମାସ ୩୦ରୁ ଆରମ୍ଭ ହେଉଥିବା ଏସିଆ କପ୍ ଏବଂ ଅକ୍ଟୋବର-ନଭେମ୍ବରର ଦିନିକିଆ ବିଶ୍ବକପ୍‌ କୋହଲିଙ୍କୁ ଏହି କୀର୍ତ୍ତିମାନ ଅତିକ୍ରମ କରିବାର ସ‌ୁଯୋଗ ଆଣି ଦେବ। ସଚିନ ତେନ୍ଦୁଲକରଙ୍କ ଐତିହାସିକ କୀର୍ତ୍ତିମାନକୁ ଅତିକ୍ରମ କରିବା ବିରାଟଙ୍କ ଅସଲ ଲକ୍ଷ୍ୟ ନୁହେଁ। ଏହି ୩୪ ବର୍ଷୀୟ ବ୍ୟାଟରଙ୍କ ଏକାଗ୍ରତା ରହିଛି ମ୍ୟାଚ୍‌ ଓ କପ୍‌ ଜିତିବା। ‘ବାସ୍ତବରେ କୋହଲିଙ୍କ ମନରେ ଆଉ ରେକର୍ଡ ଭାଙ୍ଗିବାର ପ୍ରବଳତା ନାହିଁ। ଆମ ଭଳି କିଛି ଲୋକ ଏବଂ ପ୍ରଶଂସକମା‌ନେ ଏହାକୁ ନେଇ ଅଧିକ ଆଲୋଚନା କରିଥାଉ। ସେସବୁ ଶତକ ହାସଲ କରିବା ଅପେକ୍ଷା ଦେଶ ପାଇଁ ମ୍ୟାଚ୍‌ ଜିତିବାକୁ କୋହଲି ଅଧିକ ଏକାଗ୍ର ରହିଥାନ୍ତି।

ଭାରତ ପାଇଁ ଏବେ ଏସିଆ କପ୍‌ ଓ ବିଶ୍ବକପ୍‌ ଜିତିବା ତାଙ୍କ ନଜରରେ ରହିଛି। ରେକର୍ଡକୁ ସେ ଏତେ ଗୁରୁତ୍ବ ଦିଅନ୍ତି ନାହିଁ’ ବୋଲି କହିଛନ୍ତି ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ରବିନ୍ ଉଥପ୍ପା। ଏସିଆ କପ୍ ହେଉ କି ବିଶ୍ବକପ୍‌ ସଚିନଙ୍କ କୀର୍ତ୍ତିମାନକୁ ବିରାଟ କୋହଲି ଖେଳ ଜୀବନର କୌଣସି ଭାଗରେ ଅତିକ୍ରମ କଲେ ମଧ୍ୟ ତାଙ୍କ ପାଇଁ ଏହା କିଛି ଫରକ ପକାଇବ ନାହିଁ ବୋଲି ରବିନ କହିଛନ୍ତି। ଚଳିତ ବର୍ଷର ଦିନିକିଆ ବିଶ୍ବକପ୍‌ ପାଇଁ ଘରୋଇ ଦଳ ଭାରତ ନିଶ୍ଚିତ ଦୃଢ଼ ଦାବିଦାର ରହିଛି। ଭାରତ ଏବେଠାରୁ ୧୫ ଜଣିଆ ଦଳକୁ ଚୂଡ଼ାନ୍ତ କରି ପ୍ରସ୍ତୁତିରେ ଲାଗି ପଡ଼ିବା ଉଚିତ ବୋଲି ସେ କହିଥିଲେ। ୟୁଝବେନ୍ଦ୍ର ଚହଲ କି କୁଲଦୀପ ଯାଦବଙ୍କ ମଧ୍ୟରୁ କିଏ ରହିବେ ବୋଲି ପ୍ରଶ୍ନ ହେବାରୁ ରବିନ କହିଥିଲେ ‘ଉଭୟ’। ଭାରତ ପାଇଁ ଉଭୟ ଚହଲ ଓ କୁଲଦୀପ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ମୋତେ କହିଲେ ମୁଁ ଉଭୟଙ୍କୁ ବାଛିବି। କୁଲଦୀପ ସବୁଠାରୁ ଉନ୍ନତି କରିଥିବା ବୋଲର। ଉଭୟ ମଧ୍ୟ ପ୍ରତିପକ୍ଷ ପାଇଁ ବିପଦଜନକ ବୋଲର ବୋଲି ଶେଷରେ ରବିନ ପ୍ରକାଶ କରିଥିଲେ।

ସଚିନଙ୍କ ପ୍ରଥମ ଶତକକୁ ୩୩ ବର୍ଷ

ବିଶ୍ବ କ୍ରିକେଟ୍‌ର ମହାନ ବ୍ୟାଟର୍‌ ସଚିନ ରମେଶ ତେନ୍ଦୁଲକର ୧୦୦ ଅନ୍ତର୍ଜାତୀୟ ଶତକର କୀର୍ତିମାନଧାରୀ। ସୋମବାର (ଅଗଷ୍ଟ ୧୪) ବିଶ୍ବ କ୍ରିକେଟ୍ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକର ବାର୍ଷିକୀ ପାଳନ କରିଛି। ଆଜକୁ ଠିକ୍ ୩୩ ବର୍ଷ ତଳେ ସେ ତାଙ୍କ ପ୍ରଥମ ଶତକ ଅର୍ଜନ କରିଥିଲେ। ୧୯୯୦ ମସିହାରେ ଇଂଲଣ୍ଡ ବିପକ୍ଷ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ରେ ସଚିନ ୧୮୯ ବଲ୍‌ରୁ ୧୧୯ ରନ୍‌ର ପାଳି ଖେଳି ଶତକୀୟ ଶତକର ଅଭିଯାନ ଆରମ୍ଭ କରିଥିଲେ। ଏହି ପ୍ରଶଂସନୀୟ ପାଳିରେ ମୋଟ ୧୭ ଚୌକା ମଧ୍ୟ ସାମିଲ ଥିଲା। ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ଟେଷ୍ଟ୍ କ୍ରିକେଟ୍‌ରେ ପଦାର୍ପଣ କରିଥିବା ସଚିନ କ୍ରମେ ‘କ୍ରିକେଟ୍‌ ଈଶ୍ବର’ ଭାବେ ଉଭା ହୋଇ ଜନମାନସରେ ଆଛାଦିତ ରହି ଆସିଛନ୍ତି। ସଚିନଙ୍କ ବିଶ୍ବ ଆଗମନର ୩୩ ବର୍ଷ ବାର୍ଷିକୀକୁ ମନେ ପକାଇ ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରଥମେ ଟ୍ବିଟ୍‌ (ଏକ୍ସ) କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ ରେକର୍ଡର ଅଧିକାରୀ ସଚିନ ୨୦୧୩ରେ ନିଜ ସହର ମ୍ବମ୍ବାଇରେ ୨୦୦ତମ ଟେଷ୍ଟ୍ ଖେଳି ଅବସର ନେଇଥିଲେ। ଚଳିତ ବର୍ଷ ସେ ମଧ୍ୟ ଏହାର ଦଶମ ବାର୍ଷିକୀ ପାଳନ କରିବେ।




Related Articles

Leave a Reply

Your email address will not be published. Required fields are marked *

Back to top button