ଖେଳ ଖବର

ଯୁବ ବାହିନୀର ଶୃଙ୍ଖଳା ବିଜୟ: ୱେଷ୍ଟ୍‌ଇଣ୍ଡିଜ୍‌ ୨୦୦ ରନ୍‌ରେ ପରାସ୍ତ – Kalinga News


‌ତରୌବ: ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ୍‌ରେ ଦିନିକିଆ ଶୃଙ୍ଖଳା ଜିତିଛି। ଏପରିକି ବରିଷ୍ଠ ମାନଙ୍କୁ ପୂର୍ବତନ ଖେଳାଳିଙ୍କ ଭର୍ତ୍ସନା ପରେ ଯୁବ ଖେଳାଳିମାନଙ୍କ ଉତ୍ସାହଜନକ ପ୍ରଦର୍ଶନ ସେମାନଙ୍କୁ ଜବାବ ଦେଇଛି। ମଙ୍ଗଳବାର ରାତିରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନ୍‌ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି। ଏଥି ସହିତ ଲଗାତାର (୧୩) ଶୃଙ୍ଖଳା ବିଜୟ ସଫଳତାକୁ ମଧ୍ୟ ଆଗକୁ ନେଇଛି ଭାରତ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍‌ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ। ଭାରତ ୩୫୧ ରନ୍‌ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ଗିଲ୍‌-ଈଶାନ ୧୪୩ ରନ୍‌ର ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଯାହାକି ୱେଷ୍ଟଇଣ୍ଡିଜ୍‌ରେ ଭାରତ ପାଇଁ ପ୍ରଥମ ୱିକେଟ୍‌ରେ ସେର୍ବୋଚ୍ଚ ଭାଗୀଦାରି ରେକର୍ଡ ପ୍ରତିଷ୍ଠା କରିଥିଲା। ୨୦୧୭ ମସିହାରେ ପୋର୍ଟ ଅଫ୍‌ ସ୍ପେନ୍‌ରେ ଶିଖର ଧାୱନ ଏବଂ ଅଜିଙ୍କ୍ୟ ରାହାଣେ ପ୍ରଥମ ୱିକେଟ୍ ପାଇଁ ୧୩୨ ରନ୍‌ ଉଠାଇଥିଲେ। ୬ ବର୍ଷ ପରେ ଏହା ପଛରେ ପଡ଼ିଯାଇଛି। ୪୩ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ପରେ ବାମହାତୀ କିଶନ ୬୪ ବଲ୍‌ରୁ ୭୭ ରନ୍‌ କରି ଆଉଟ୍ ହୋଇଥିଲେ। ଏହି ପାଳିରେ ୮ ଚୌକା, ୩ ଛକା ସାମିଲ ଥିଲା। ଏହା ପରେ ଗସ୍ତରେ ପ୍ରଥମ ସୁଯୋଗ ପାଇଥିବା ଋତୁରାଜ ଗାଏକ୍ବାଡ ଏହାର ଫାଇଦା ଉଠାଇ ପାରିନଥିଲେ। ସଂଜୁ ସାମସନ୍ କିନ୍ତୁ ପ୍ରଥମ ୪ ବଲ୍‌ ଭିତରେ ୨ ଛକା ମାରି ଧମାକାଦାର ଆରମ୍ଭ କରିଥିଲେ। ୪୧ ବଲ୍‌ରୁ ୫୧ ରନ୍‌ କରି ଆଉଟ୍ ହୋଇ ଆଗକୁ ବଢ଼ି ପାରିନଥିଲେ।

ଏହା ମଧ୍ୟରେ ୨ ଚୌକା ଓ ୪ ଛକା ସାମିଲ ଥିଲା। ଶେଷକୁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୫୨ ବଲ୍‌ରୁ ୭୦* ରନ୍‌, ୪ ଚୌକା, ୫ ଛକା) ଏବଂ ସୂର୍ଯ୍ୟକୁମାର ଯାଦବ (୩୦ ବଲ୍‌ରୁ ୩୫ ରନ୍‌, ୨‌ ଚୌକା, ୨ ଛକା) ଭଲ ବ୍ୟାଟିଂ କରି ଦଳକୁ ୩୫୦ ରନ୍ ପାର କରାଇଥିଲେ। ଏଥି ସହିତ ୱେଷ୍ଟଇଣ୍ଡିଜ୍‌ରେ ମଧ୍ୟ ଭାରତ ସର୍ବୋଚ୍ଚ ଦଳଗତ ସ୍କୋର୍‌ କରିଥିଲା। ପୂର୍ବରୁ ୨୦୦୯ରେ କିଙ୍ଗଷ୍ଟନ୍‌ରେ ଭାରତ ୩୩୯/୬ ସ୍କୋର୍‌ କରିଥିଲା। ଭାରତ ପାଇଁ ମଧ୍ୟ ଏହା ବିନା ଶତକରେ ସର୍ବୋଚ୍ଚ ଦଳଗତ ସ୍କୋର୍‌। ୨୦୦୫ରେ ନାଗପୁରରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ବିନା ଶତକରେ ୩୫୦/୬ ସ୍କୋର କରିଥିଲ। ଜବାବରେ ୱେଷ୍ଟଇଣ୍ଡିଜ୍‌କୁ ଭାରତୀୟ ଦ୍ରୁତ ବୋଲର ପ୍ରଥମରୁ ଚାପରେ ପକାଇଥିଲେ। ମୁକେଶ କୁମାର ପ୍ରଥମ ୩ ୱିକେଟ୍‌ ଦଖଲ କରିବା ପରେ ଶାର୍ଦୁଳ ଠାକୁର-ଜୟଦେବ ଉନାଦକଟ୍‌ ମିଳିତ ଭାବେ ୩ ୱିକେଟ୍‌ ଦଖଲ କରିଥିଲେ। କୁଲଦୀପ ଯାଦବ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଅକ୍ତିଆର କରି ବିଜୟରେ ନିଜ ଅବଦାନ ରଖିଥିଲେ। ୫୦ ରନ୍‌ରେ ୬ ୱିକେଟ୍ ହରାଇ ଘରୋ‌ଇ ଦଳ ବଡ଼ ପରାଜୟ ଆଡ଼କୁ ଗତି କରିଥିଲା। ୟାନିକ କାରିଆ, ଅଲଜାରି ଯୋସେଫ, ଗୁଡକେଶ ମୋତି ନିମ୍ନକ୍ରମରେ କିଛି ଆକର୍ଷଣୀୟ ସଟ୍‌ ଖେଳି ଘରୋଇ ଦଳର ପରାଜୟକୁ କେବଳ ବିଳମ୍ବିତ କରିଥିଲେ। ମୋତି-ଯୋସେଫଙ୍କ ମଧ୍ୟରେ ହୋଇଥିବା ୫୫ ରନ୍ ଭାଗୀଦାରିକୁ ଶାର୍ଦୁଳ ଭାଙ୍ଗିଥିଲେ। ବ୍ୟକ୍ତିଗତ ଚତୁର୍ଥ ୱିକେଟ୍‌ ସହ ଶାର୍ଦୁଳ ମଧ୍ୟ ବିଜୟ ମୁଣ୍ଡି ମାରିଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ୫୦ ଓଭରରେ ୩୫୧/୫ (ଶୁବମନ ଗିଲ୍‌-୮୫, ଈଶାନ କିଶନ-୭୭, ହାର୍ଦିକ ପାଣ୍ଡ୍ୟା-୭୦*, ସଂଜୁ ସାମସନ୍‌-୫୧, ସୂର୍ଯ୍ୟକୁମାର ଯାଦବ-୩୫, ରୋମାରିଓ ସେଫର୍ଡ-୨/୭୩, ଗୁଡ଼କେଶ ମୋତି-୧/୩୮, ୟାନିକ କାରିଆ-୧/୫୮, ଅଲଜାରି ଯୋସେଫ-୧/୭୭)। ୱେଷ୍ଟଇଣ୍ଡିଜ୍‌ ୩୫.୩ ଓଭରରେ ୧୫୧/୧୦ (ଗୁଡ଼କେଶ ମୋତି-୩୯*, ଆଲିକ୍ ଆଥ‌ାନେଜ୍‌-୩୨, ଅଲଜାରି ଯୋସେଫ-୨୬,‌ ଶାର୍ଦୁଳ ଠାକୁର-୪/୩୭, ମୁକେଶ କୁମାର-୩/୩୦, କୁଲଦୀପ ଯାଦବ-୨/୨୫, ଜୟଦେବ ଉନାଦକଟ୍‌-୧/୧୬)।

ପୁଣି ବସିଲେ ରୋହିତ-ବିରାଟ
ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ବିଶ୍ରାମ ‌ଦେଇ ଭାରତ ଏହି ମ୍ୟାଚ୍‌ ଖେଳିଛି। ତ୍ରିନିଦାଦର ବ୍ରାଏନ୍ ଲାରା କ୍ରିକେଟ୍‌ ଏକାଡେମୀରେ ଭାରତ ଦୁଇଟି ପରିବର୍ତନ କରି ପଡ଼ିଆକୁ ଓହ୍ଲାଇଥିବା ବେ‌‌ଳେ ଏହି ଦୁଇ ଅଭିଜ୍ଞ ଖେଳାଳି ଦଳକୁ ଫେରିନଥିଲେ। ଅକ୍ଷର ପଟେଲ୍ ଏବଂ ଉମ୍ରାନ ମଲ୍ଲିକଙ୍କ ବଦଳରେ ଋତୁରାଜ ଗାଏକ୍ବାଡ୍‌, ଜୟଦେବ ଉନାଦକଟ୍‌ ସୁଯୋଗ ପାଇଥିଲେ। ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜ୍ ବିଜୟୀ ଦ୍ବିତୀୟ ଦିନିକିଆ ଦଳରେ କୌଣସି ପରିବର୍ତନ କରିନଥିଲା।

ହ୍ୟାଟ୍ରିକ୍ କ୍ଲବ୍‌ରେ ଈଶାନ
ଏକ ୩ ମ୍ୟାଚ୍‌ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ୩ ଲଗାତାର ଅର୍ଦ୍ଧଶତକ (୭୭, ୫୫, ୫୨) ହାସଲ କରି ଈଶାନ କିଶନ ବିରଳ ହ୍ୟାଟ୍ରିକ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏଭଳି କ୍ଲବ୍‌‌ରେ ସାମିଲ ହେବାରେ କିଶନ ଷଷ୍ଠ ଭାରତୀୟ ହୋଇଛନ୍ତି। ପୂର୍ବରୁ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ (ବନାମ ଶ୍ରୀଲଙ୍କା, ୧୯୮୨), ଦିଲୀପ‌ ଭେଙ୍ଗସରକାର (ବନାମ ଶ୍ରୀଲଙ୍କା, ୧୯୮୫), ମହମ୍ମଦ ଆଝାରୁଦ୍ଦିନ୍‌ (ବନାମ ଶ୍ରୀଲଙ୍କା, ୧୯୯୩), ମହେନ୍ଦ୍ର ସିଂହ ଧୋନି (ବନାମ ଅଷ୍ଟ୍ରେଲିଆ, ୨୦୧୯), ଶ୍ରେୟସ ଆୟର (ବନାମ ନ୍ୟୁଜିଲାଣ୍ଡ୍‌, ୨୦୨୦) ଏହି କ୍ଲବ୍‌ର ସଦସ୍ୟ ଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button