ଅପରାଧ

ପୁଣି ବନ୍ଧାହେଲେ ଚୁଙ୍ଗୁଡ଼ି, ହରିଆ: ମାସକ ତଳେ ଜେଲ୍‌ରୁ ବାହାରିଥିଲେ – Kalinga News


ପୁରୁଣା ଭୁବନେଶ୍ବର: ପ୍ରାୟ ମାସକ ତଳେ ଜେଲ୍‌ରୁ ବାହାରିଥିବା କୁଖ୍ୟାତ୍ ଲୁଟେରା ଚୁଙ୍ଗୁଡ଼ି ଓ ହରିଆକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ଦିନ ଦିପହରେ ଜଣେ ମହିଳାଙ୍କ‌ ବେକରୁ ଚେନ୍‌ ଛିଣ୍ଡାଇ ନେବା ଅଭିଯୋଗରେ ସେମାନଙ୍କୁ ପୁଣି ଜେଲ୍‌କୁ ପଠାଇଦିଆଯାଇଛି। ପୁଲିସ ସୂଚନାନୁସାରେ ଭରତପୁର ଥାନା ଅଧୀନ କୋଳଥିଆର ଶ୍ରୀଧର ପଟ୍ଟନାୟକ ଓରଫ୍‌ ହରିଆ(୨୪) ଏବଂ ଖଣ୍ଡଗିରି ଥାନା ଅଧୀନ ଡ଼ୁମୁଡ଼ୁମା ସୁବାସନଗରର ଲିଙ୍ଗରାଜ ଦଳେଇ ଓରଫ୍ ଚୁଙ୍ଗୁଡ଼ି(୨୫) ପେସାଦାର ଲୁଟେରା। ହରିଆ ଅଗଷ୍ଟ ମାସରେ ଓ ଚୁଙ୍ଗୁଡ଼ି ଚଳିତ ମାସ ପ୍ରଥମ ସପ୍ତାହରେ ଜେଲ୍‌ରୁ ମୁକୁଳିଥିଲେ। ଭରତପୁର ଓ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କ ଉପରେ କଡ଼ା ନଜର ରଖିଥିବାରୁ ସେମାନେ ଗତ କିଛି ଦିନ ହେଲା ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଡେରା ପକାଇଥିଲେ। ଗତକାଲି ମଧ୍ୟାହ୍ନ ସମୟରେ ଗ୍ୟାରେଜ୍‌ ଛକ ଦେଇ ଅଭିଯୋଗକାରିଣୀ ସ୍ବପ୍ନାରାଣୀ ପାତ୍ର ଏକୁଟିଆ ଘରକୁ ଫେରୁଥିଲେ। ଚୁଙ୍ଗୁଡ଼ି ଓ ହରିଆ ମଉକା ପାଇ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ପଳାଇଥିଲେ। ଏନେଇ ଶ୍ରୀମତୀ ପାତ୍ର ଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଲୁଟେରାଦ୍ବୟଙ୍କୁ ଚିହ୍ନଟ କରିଥିଲା। ଆଜି ସେମାନେ ରବି ଟକିଜ୍‌ ଛକରେ ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଶ୍ରୀମତୀ ପାତ୍ରଙ୍କ ଚେନ୍‌ ଜବତ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button